ଧାମନଗର ଉପନିର୍ବାଚନ : ସ୍ବାଧୀନ ପ୍ରାର୍ଥୀ ହେବେ ଅସନ୍ତୁଷ୍ଟ ବିଜେଡି ନେତା ରାଜେନ୍ଦ୍ର ଦାସ !

ଭଦ୍ରକ : (ସଂକେତ୍ ଟିଭି) ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡିରେ ଅସନ୍ତୋଷ କହୁଳିବାରେ ଲାଗିଛି । ପୂର୍ବତନ ବିଧାୟକ ତଥା ବିଜେଡି ନେତା ରାଜେନ୍ଦ୍ର ଦାସ ଏନେଇ ଅସନ୍ତୁଷ୍ଟ ଥିବା କୁହାଯାଉଛି। ସେ ସ୍ବାଧୀନ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଅବନ୍ତୀଙ୍କୁ ଦଳ ପ୍ରାର୍ଥୀ କରିବା ପରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ଭଦ୍ରକସ୍ଥିତ ବାସଭବନରେ ସମର୍ଥକଙ୍କ ଭିଡ଼ ଜମିଥିଲା। ସେ ‌ତାଙ୍କ ସମର୍ଥକମାନଙ୍କ ସହ ବୈଠକ କରିଥିବା ସୂଚନା ମିଳିଛି। ଏବେ ବି ରାଜେନ୍ଦ୍ର ଦାସଙ୍କ ଘରେ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ସେ ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ ହେବା ଲାଗି ଫର୍ମ କିଣିଥିବା ମଧ୍ୟ ଜଣାଯାଇଛି। ରାଜେନ୍ଦ୍ର ଦାସ ଫ୍ୟାନ୍ କ୍ଲବ ପକ୍ଷରୁ ଏକ ପୋଷ୍ଟ କରି କୁହାଯାଇଛି ଯେ, ଆସନ୍ତାକାଲି ରାଜୁ ଦାସ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିବେ। ଏଥିପାଇଁ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ କୁହାଯାଇଛି ।

ତେଣେ ରାଜେନ୍ଦ୍ର ଦାସଙ୍କୁ ମନାଇବା ଲାଗି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଭଦ୍ରକ ଆସୁଥିବାର ସୂଚନା ମିଳିଛି। ଏବେ ରାଜେନ୍ଦ୍ର ଦାସଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁ ନାହିଁ । ଗତକାଲି ସେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟିଥିଲେ। ଏହା ପରେ ଦିନ ତମାମ ରାଜୁଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲା ଦଳ। ଶେଷରେ ସଂଧ୍ୟାରେ ଅବନ୍ତୀଙ୍କୁ ପ୍ରାର୍ଥୀ କରିବା ନେଇ ଘୋଷଣା କରିଥିଲା ଦଳ। ଏହା ପରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଅବନ୍ତୀ ଓ ରାଜୁ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ।

ସୂଚନାଯୋଗ୍ୟ, ବିଜେପି ପକ୍ଷରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସ ପକ୍ଷରୁ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି।

ରାଜେନ୍ଦ୍ର ଦାସ ଫେନ କ୍ଲବ ପକ୍ଷରୁ ପୋଷ୍ଟ ହୋଇଥିବା ଚିଠି