ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ (ସଂକେତ ଟିଭି) ହିମାଚ​ଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି । ହିମାଚଳ ପ୍ରଦେଶ ବିଧାନସଭାର ୬୮ଟି ଆସନ ପାଇଁ ନଭେମ୍ବର ୧୨ରେ ଭୋଟ ଗ୍ରହଣ ହେବ । ସେହିପରି ଡିସେମ୍ବର ୮ରେ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଶୁକ୍ରବାର ଦିନ ଘୋଷଣା କରିଛନ୍ତି ।

ଅକ୍ଟୋବର ୧୭ରୁ ଅକ୍ଟୋବର ୨୫ ମଧ୍ୟରେ ମନୋନୟନ ପତ୍ର ଦାଖଲ କରିହେବ ଓ ଅକ୍ଟୋବର ୨୯ ସୁଦ୍ଧା ମନୋନୟନ ପତ୍ର ପ୍ରତ୍ୟାହାର କରିହେବ । ରାଜ୍ୟରେ ୬୮ଟି ଆସନ ଥିବାବେଳେ ୧୭ଟି ଆସନ ଅନୁସୂଚୀତ ଜାତି ଓ ୩ଟି ଆସନ ଅନୁସୂଚୀତ ଉପଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି ।

ହିମାଚଳ ପ୍ରଦେଶରେ ମୋଟ ପ୍ରାୟ ୫୫ ଲକ୍ଷ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ । ରାଜ୍ୟରେ ମୋଟ ୭୮୮୧ଟି ପୋଲିଂ ବୁଥ ସ୍ଥାପନ କରାଯିବ । ଏହା ମଧ୍ୟରୁ ୧୪୨ଟି ପୋଲିଂ ବୁଥକୁ ସଂପୂର୍ଣ୍ଣଭାବେ ମହିଳାମାନେ ପରିଚାଳନା କରିବେ । ପୁଣି ୩୭ଟି ବୁଥକୁ ଦିବ୍ୟାଙ୍ଗମାନେ ପରିଚାଳନା କରିବେ ବୋଲି ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି।