ଧାମନଗର ଉପନିର୍ବାଚନ: ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ

ଭଦ୍ରକ: (ସଂକେତ୍ ଟିଭି) ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଧାମନଗର ଉପନିର୍ବାଚନ ଲାଗି ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ନିଜ ସମର୍ଥକମାନଙ୍କ ସହ ବାସଭବନରୁ ଏକ ନିରାଡମ୍ବର ଶୋଭାଯାତ୍ରାରେ ଯାଇ ଭଦ୍ରକ ବ୍ଲକ ପରିସରରେ ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।

ପ୍ରାର୍ଥୀ ପତ୍ର ଦାଖଲ କରିବା ପରେ ନିଜ ପ୍ରତିକ୍ରିୟାରେ ରାଜେନ୍ଦ୍ର କହିଛନ୍ତି ଯେ ଧାମନଗରବାସୀଙ୍କର ସେବା କରିବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସେ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିବେ ନାହିଁ ବୋଲି କହିଛନ୍ତି। ତାଙ୍କ ସହ ଧାମନଗରବାସୀ ଅଛନ୍ତି ବୋଲି ସେ କହିଛନ୍ତି। ବିଜେଡି ଦଳ ତାଙ୍କ ପ୍ରତି ଅବିଚାର କରିଛି। ତାର ଜବାବ ଧାମନଗରବାସୀ ଦେବେ ବୋଲି ସେ ମତ ରଖିଛନ୍ତି। କୁଚକ୍ରୀ ଗୋଷ୍ଠୀଙ୍କ ଚକ୍ରାନ୍ତ ପାଇଁ ୨୦୧୯ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିଲି। ଏଥର ନିଶ୍ଚୟ ବିଜୟୀ ହେବି ବୋଲି ସେ କହିଛନ୍ତି।

ବିଜେଡି ଅବନ୍ତୀ ଦାସଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଦଳରେ ଅସନ୍ତୋଷ ବଢିଥିଲା। ଦଳର ଏହି ନିଷ୍ପତ୍ତିକୁ ରାଜେନ୍ଦ୍ରଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରି ନ ଥିଲେ।