ସିନ୍ଧିଆଙ୍କୁ ନବୀନଙ୍କ ଚିଠି, ନଭେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ କର ରାଉରକେଲା ବିମାନବନ୍ଦର

ଭୁବନେଶ୍ବର: (ସଂକେତ୍ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏକ ଚିଠି ଲେଖି ଆସନ୍ତା ନଭେମ୍ବର ଶେଷ ସୁଦ୍ଧା ରାଉରକେଲା ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରିବା ପାଇଁ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆଗକୁ ବିଶ୍ୱକପ୍ ହକି ମ୍ୟାଚ୍ ଖେଳାଯିବାକୁ ରହିଛି । ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ମଧ୍ୟରେ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍ ମ୍ୟାଚ୍‌ ଖେଳାଯିବା ପାଇଁ ନିର୍ଦ୍ଧାରିତ ହୋଇଛି । ତେଣୁ ନଭେମ୍ବର ୩୦ ପୂର୍ବରୁ
ରାଉରକେଲା ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ସେଲ୍ ଓ ବିମାନ ଚଳାଚଳ କର୍ତ୍ତୃକ୍ଷଙ୍କ ମଧ୍ୟରେ ଏମ୍‌ଓୟୁ ନବୀକରଣ କରିବା, ରନ୍‌ୱେ, ଟର୍ମିନାଲ ବିଲ୍ଡିଂ ଭଳି କାର୍ଯ୍ୟର ସମୀକ୍ଷା କରିବାକୁ ମଧ୍ୟ ଶ୍ରୀ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି । ରାଉରକେଲାରୁ ଦିଲ୍ଲୀ, ମୁମ୍ବାଇ ଓ କୋଲକତା ଭଳି ମେଟ୍ରୋ ସିଟିକୁ ଶୀଘ୍ର ବିମାନସେବା ଆରମ୍ଭ କରିବା ଦିଗରେ ପଦକ୍ଷେପ ନେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଚିଠିରେ ନିବେଦନ କରିଛନ୍ତି ।