ଡାକ୍ତରଖାନା ଛାତରୁ ମିଳିଳା ୨୦୦ରୁ ଅଧିକ ମୃତଦେହ

ଇସଲାମାବାଦ୍ : (ସଂକେତ୍ ଟିଭି) ପାକିସ୍ତାନର ପଞ୍ଜାବ ପ୍ରାନ୍ତର ନିଶସ୍ତାରସ୍ଥିତ ଏକ ହସ୍ପିଟାଲ ଛାତ ଉପରୁ ୨୦୦ରୁ ଊର୍ଦ୍ଧ୍ୱ ଗଳିତ ମୃତଦେହ ଉଦ୍ଧାର ହୋଇଛି। ତେବେ ହସ୍ପିଟାଲ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପାଇଁ ଏହି ମୃତଦେହ ରଖାଯାଇଥିବା କୁହାଯାଉଛି। ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତାରିକ ଜମାନ ଗୁଜର ଘଟଣାସ୍ଥଳ ପରିଦର୍ଶନ କରି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଗୁଜର କହିଛନ୍ତି ଯେ, ମୁଲତାନର ନିଶାସ୍ତାର ମେଡିକାଲ ୟୁନିଭରସିଟିର ଶବ ବ୍ୟବଚ୍ଛେଦ ଗୃହ ଛାତ ଉପରେ ୨୦୦ରୁ ଊର୍ଦ୍ଧ୍ୱ ଗଳିତ ମୃତଦେହ ଠାବ କରାଯାଇଛି। ସେ ହସ୍ପିଟାଲ ଗସ୍ତରେ ଆସିଥିବା ବେଳେ ହସ୍ପିଟାଲର ଛାତ ଯାଞ୍ଚ କରିବାକୁ ଜଣେ ବ୍ୟକ୍ତି ତାଙ୍କୁ କହିଥିଲେ। ଆଉ ସେ ସେଠାରେ ପହଞ୍ଚିବା ପରେ କର୍ମଚାରୀମାନେ ଶବ ବ୍ୟବଚ୍ଛେଦ ଗୃହର କବାଟ ଖୋଲିବାକୁ ପ୍ରସ୍ତୁତ ନଥିଲେ। କିନ୍ତୁ ଏଫଆଇଆର ଧମକ ଦେଲା ପରେ ସେମାନେ କବାଟ ଖୋଲିଥିଲେ। ଆଉ ଛାତ ଉପରେ ସେମାନେ ଯାହା ଦେଖିଲେ ତାହାକୁ ବିଶ୍ୱସ କରିବା ଅସମ୍ଭବ। କାରଣ ସେଠାରେ ୨୦୦ରୁ ଊର୍ଦ୍ଧ୍ୱ ଗଳିତ ମୃତଦେହ ପଡିଥିଲା।

ହସ୍ପିଟାଲ ଛତ ଉପରେ ଉଭୟ ମହିଳା ଓ ପୁରୁଷଙ୍କ ମୃତଦେହ ପଡି ରହିଥିଲା। ମହିଳାଙ୍କ ମୃତଦେହ ବି ସମ୍ପୂର୍ଣ୍ଣ ଉଲ୍ଲଗ୍ନ ଥିଲା। କିଛି ମୃତଦେହ ସଢିବା ଆରମ୍ଭ ହୋଇଯାଇଥିଲା। ସେଥିରେ ପୋକ ଲାଗିଥିବା ବେଳେ କାଉ ଓ ଶାଗୁଣା ତାକୁ ଝୁଣି ଦେଇଥିଲେ।

ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତାରିକ ଜମାନ ଗୁଜର ସେହି ଗଳିତ ମୃତଦେହର ଅନ୍ତିମ ସଂସ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମାମଲାର ତଦନ୍ତ ପାଇଁ ଏକ ସାତ ଜଣିଆ ଟିମ ଗଠନ କରାଯାଇଛି। ଆସନ୍ତା ତିନି ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନିଶାର ମେଡିକାଲ ୟୁନିଭରସିଟିର ମୁଖପାତ୍ର ସାଜାଦ ମସୁଦ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ପାଇଁ କମିଟି ଗଠନ କରାଯାଇଛି। ଛାତ ଉପରେ ୨୦୦ରୁ ଊର୍ଦ୍ଧ୍ୱ ମୃତଦେହ ପଡିଥିବା ଖବରକୁ ଖଣ୍ଡନ କରିଛନ୍ତି। ସେ ଦାବି କରିଛନ୍ତି ଯେ, ଛାତ ଉପରେ କେବଳ ଚାରିଟି ମୃତଦେହ ଥିଲା, ଯାହା ପ୍ରାକୃତିକ ଭାବରେ ଶୁଖିବା ପାଇଁ ଛାଡି ଦିଆଯାଇଥିଲା। ଯାହା ଡାକ୍ତରୀ ଛାତ୍ରଙ୍କ ଶିକ୍ଷା ପାଇଁ ବ୍ୟବହୃତ ହେବ ବୋଲି ସେ କହିଛନ୍ତି। ତେବେ ଏଥିରେ ଚାରିରୁ ପାଞ୍ଚ ବର୍ଷ ବୟସର ପିଲାଙ୍କ ମୃତଦେହକୁ ମଧ୍ୟ ବ୍ୟବହାର କରାଯାଉଥିବା ନେଇ ଚର୍ଚ୍ଚା ହେଉଛି।