ଟ୍ୱିଟରରେ ଟ୍ରେଣ୍ଡ କରୁଛି “ଆରେଷ୍ଟକୋହଲି’

ଚେନ୍ନାଇ : (ସଂକେତ୍ ଟିଭି) ସମସ୍ତଙ୍କୁ ଚକିତ କରିବା ଭଳି ଘଟଣା ଘଟିଛି । ଶନିବାର ସକାଳୁ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଗିରଫ କରିବାକୁ ସୋଶାଲ ମିଡିଆରେ ଦାବି ତେଜିବାରେ ଲାଗିଛି । ସୋଶାଲ ମିଡିଆ ବ୍ୟବହାରକାରୀ ହେସଟ୍ୟାଗ୍ “ଆରେଷ୍ଟକୋହଲି’ ଲେଖି ନିଜର ମତ ରଖିବାରେ ଲାଗିଛନ୍ତି । ହେଲେ ଏହା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ଭଲ ବ୍ୟାଟର କିଏ? ଏହାକୁ ଦୁଇ ବନ୍ଧୁକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ମଦ ନିଶାରେ ରୋହିତଙ୍କ ସମର୍ଥକ ଓ ବିରାଟଙ୍କ ସମର୍ଥକଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଯୁକ୍ତିତର୍କ ଭୟଙ୍କର ରୂପ ନେଇଥିଲା । ଶେଷରେ ରୋହିତଙ୍କ ସମର୍ଥକଙ୍କୁ ବିରାଟଙ୍କ ଫ୍ୟାନ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି ।

ତାମିଲନାଡୁରୁ ଘଟିଥିବା ଏହି ଘଟଣାରେ ପୁଲିସ୍ ନିଜକୁ ବିରାଟଙ୍କ ସମର୍ଥକ କହୁଥିବା ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ସେ ଗିରଫ ହେବା ପରେ ଆରେଷ୍ଟ କୋହଲି ଟ୍ରେଣ୍ଡ ଆରମ୍ଭ ହୋଇଛି । ତାମିଲନାଡୁର କୀଲାପାଲୁର ପୁଲିସ୍ କହିଛି ଯେ ଏସ୍ ଧର୍ମରାଜ ନାମକ ଜଣେ ଯୁବକ ତାଙ୍କ ବନ୍ଧୁ ପି ବିଗ୍ନେଶଙ୍କୁ ହତ୍ୟା କରିଛନ୍ତି । ଉଭୟ ଆରିୟାଲୁର ଜିଲ୍ଲାର ପୋୟୁର ଗାଁରେ ରୁହନ୍ତି । ଉଭୟ ମଙ୍ଗଳବାର ଏକାଠି ମଦ ପିଇଥିଲେ । ଏହାପରେ କ୍ରିକେଟକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ବିଗ୍ନେଶ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ସମର୍ଥନ କରୁଥିବା ବେଳେ ଧର୍ମରାଜ ଆରସିବି ସମର୍ଥକ । ମଦ ପିଇ ଉଭୟ କଥାବାର୍ତ୍ତା କରୁଥିବା ବେଳେ ବିଗ୍ନେଶ ଆରସିବି ଓ ବିରାଟ କୋହଲିଙ୍କୁ ତାଚ୍ଛଲ୍ୟ କରିଥିଲେ । ଏହାକୁ ଧର୍ମରାଜ ବିରୋଧ କରିଥିଲେ ।

ଶେଷରେ ଦୁଇ ଜଣଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଏଥିରେ ରାଗି ଯାଇ ଧର୍ମରାଜ ଗୋଟିଏ ବୋତଲ ଓ ବ୍ୟାଟ ଦ୍ୱାରା ବିଗ୍ନେଶଙ୍କୁ ଆକ୍ରମଣ କରିଥିଲେ । ସେ ବ୍ୟାଟରେ ବିଗ୍ନେଶଙ୍କ ମୁଣ୍ଡକୁ ପିଟି ଦେଇ ଫେରାର ହୋଇଯାଇଥିଲେ । ମଙ୍ଗଳବାର ରାତିରେ ମାଚର ସ୍ଥିତି ସିଡକୋ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟର ଗୋଟିଏ ଖୋଲା ସ୍ଥାନରେ ଏହି ଘଟଣା ଘଟିଥିଲା । ଦିନକ ପରେ ଅର୍ଥାତ ବୁଧବାର ସକାଳୁ କାରଖାନାକୁ ଯାଉଥିବା କର୍ମଚାରୀମାନେ ପ୍ରଥମେ ବିଗ୍ନେଶଙ୍କ ମୃତଦେହ ଦେଖି ପୁଲିସ୍କୁ ଖବର ଦେଇଥିଲେ । ପୁଲିସ୍ ତଦନ୍ତ ପରେ ବିରାଟ ଓ ରୋହିତଙ୍କ କଥା ସାମ୍ନାକୁ ଆସିଛି ।

ବିଗ୍ନେଶ ଆଇଟିଆଇ ଶେଷ କରିବା ସହ ସିଙ୍ଗାପୁର ଯିବା ଅପେକ୍ଷାରେ ରହିଥିଲେ । ତାଙ୍କ ଚାକିରି ଭିସା ଆସିବା ପୂର୍ବରୁ ଧର୍ମରାଜ ସାମାନ୍ୟ ଘଟଣାରୁ ତାଙ୍କୁ ହତ୍ୟା କରିଛନ୍ତି । ବିରାଟଙ୍କ ସମର୍ଥକ ରୋହିତଙ୍କ ଫ୍ୟାନଙ୍କୁ ହତ୍ୟା କରିଥିବାରୁ ସୋଶାଲ ମିଡିଆରେ ଝଡ଼ ଦେଖାଯାଇଛି । ସମସ୍ତେ ବିରାଟ କୋହଲିଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।