ଟଙ୍କା ଦୁର୍ବଳ ହୋଇନାହିଁ ବରଂ ଡଲାର ଶକ୍ତିଶାଳୀ ହୋଇଛି : ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଭାରତୀୟ ଟଙ୍କା ହ୍ରାସ ପାଉନାହିଁ, ବରଂ ଆମେରିକୀୟ ଡଲାର ଅଧିକ ଶକ୍ତିଶାଳୀ ହେଉଛି । ୱାଶିଂଟନ୍ ଡିସିରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି ।

ଏହି ସମ୍ମିଳନୀରେ ଜଣେ ସାମ୍ବାଦିକ ତାଙ୍କୁ ଭାରତୀୟ ଟଙ୍କା ବିଷୟରେ ପ୍ରଶ୍ନ କରିଥିଲେ । ସାମ୍ବାଦିକ ପଚାରିଥିଲେ, ଜିଓ-ରାଜନୈତିକ ତିକ୍ତତା ମଧ୍ୟରେ ଟଙ୍କା ମୂଲ୍ୟ ହ୍ରାସ ପାଇଛି । ଆଗାମୀ ଦିନରେ ଟଙ୍କା ପାଇଁ ଆପଣ କେଉଁ ଆହ୍ୱାନଗୁଡିକ ଦେଖୁଛନ୍ତି ଓ ଆପଣ ସେଗୁଡିକୁ କିପରି ମୁକାବିଲା କରିବେ?

ସୀତାରମଣ କହିଛନ୍ତି, ‘ସର୍ବପ୍ରଥମେ, ମୁଁ ଏହାକୁ ଏପରି ଦେଖୁ ନାହିଁ ଯେ ଟଙ୍କା ହ୍ରାସ ପାଉଛି, କିନ୍ତୁ ଏପରି ଦେଖୁଛି ଯେ ଡଲାର ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ଡଲାର ଦ୍ରୁତ ଗତିରେ ମଜବୁତ ହେଉଛି । ତେଣୁ ସ୍ୱାଭାବିକ ଭାବରେ ସେହି ମୁଦ୍ରାଗୁଡ଼ିକ ଦୁର୍ବଳ ହେବ ଯାହା ତୁଳନାରେ ଏହା ଅଧିକ ଶକ୍ତିଶାଳୀ ହେଉଛି । ଅନ୍ୟ ଉଦୀୟମାନ ବଜାର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କା ଭଲ ପ୍ରଦର୍ଶନ କରୁଛି । ତେବେ ଟଙ୍କା ହ୍ରାସକୁ ରୋକିବା ପାଇଁ ଆରବିଆଇ ଯଥାସମ୍ଭବ ଚେଷ୍ଟା କରୁଛି ।” କହିରଖୁଛୁ ଯେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା କ୍ରମାଗତ ଭାବେ ହ୍ରାସ ପାଉଛି । ବର୍ତ୍ତମାନ ଗୋଟିଏ ଡଲାରର ମୂଲ୍ୟ ୮୨.୪୨ ଭାରତୀୟ ଟଙ୍କା ସହିତ ସମାନ ସ୍ତରରେ ପହଞ୍ଚିଛି ।