ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ ସରିଛି : ରୋହିତ ଶର୍ମା

ପର୍ଥ: (ସଂକେତ୍ ଟିଭି) ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ମୁଁ ଚୂଡ଼ାନ୍ତ ଏକାଦଶ ଚୟନ କରିସାରିଛି । ଏହା କହିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା । ଏହି ମ୍ୟାଚ୍‌କୁ ନେଇ ବିଶ୍ୱ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ଚାଲିଛି । ଆସନ୍ତା ୨୩ ତାରିଖ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦୁଇ ପାରମ୍ପରିକ ଦଳ ପରସ୍ପରକୁ ଭେଟିବେ ।

ବିଶ୍ୱକପର ଦିନକ ପୂର୍ବରୁ ଶନିବାର ୧୬ଟି ଦଳର ଅଧିନାୟକଙ୍କୁ ନେଇ ଫଟୋ ସୁଟ୍‌ କରାଯାଇଥିଲା । ଏହି ଅବସରରେ ରୋହିତ କହିଥିଲେ, ମୁଁ ଶେଷ ମିନିଟ୍‌ରେ ନିଷ୍ପତ୍ତି (ଦଳ ଚୟନ) ନେବାକୁ ବିଶ୍ୱାସ କରେନି । ମ୍ୟାଚ୍‌ ପୂର୍ବରୁ ଆମେ ଖେଳାଳିମାନଙ୍କୁ ଦଳ ଚୟନ ସମ୍ପର୍କରେ ଅବଗତ କରାଇଥାଉ, ଫଳରେ ସେମାନେ ପୂର୍ବରୁ ପ୍ରସ୍ତୁତି କରିପାରିବେ । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପାଇଁ ମୁଁ ଚୂଡ଼ାନ୍ତ ଏକାଦଶ ଚୟନ କରିସାରିଛି । ସେମାନଙ୍କୁ ଏନେଇ ଜଣାଇ ସାରିଛି । ମୁଁ ଚାହୁଁଛି ସେମାନେ ଭଲ ଭାବେ ପ୍ରସ୍ତୁତି କରନ୍ତୁ । ଭାରତ-ପାକିସ୍ତାନ ମ୍ୟାଚ୍‌ର ଗୁରୁତ୍ୱ ଆମେ ଜାଣିଛୁ। ତେଣୁ ପ୍ରତିଥର ଏହାକୁ ନେଇ ଆଲୋଚନା କରିବା ଉଚିତ ନୁହେଁ । ଆମ ଦଳ ନିର୍ଭୟରେ ଖେଳୁଛି, ବିଶ୍ୱକପ୍‌ରେ ମଧ୍ୟ ଅନୁରୂପ ଖେଳିବୁ ।’

ବୁମରାଙ୍କ ଆହତ ସମସ୍ୟାକୁ ନେଇ ରୋହିତ କହିଥିଲେ, ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ ପରେ ବୁମରାଙ୍କୁ ବାଦ ଦିଆଯାଇଛି । ଆମ ପାଇଁ ବିଶ୍ୱକପ୍‌ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ତାଙ୍କ କ୍ୟାରିୟର ଏହାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଖେଳରେ ଆହତ ସମସ୍ୟା ଏକ ଅଂଶ । ଏହାକୁ ନେଇ ଚିନ୍ତିତ ହେବା ଆବଶ୍ୟକ ନୁହେଁ । ଆମ ନିକଟରେ ବିକଳ୍ପ ଖେଳାଳି ଅଛନ୍ତି । ପେସ୍‌ ବୋଲର ମହମ୍ମଦ ସାମି ତାଙ୍କ ସ୍ଥାନରେ ସାମିଲ୍‌ ହୋଇଛନ୍ତି । ଆଗକୁ ଅଭ୍ୟାସ୍‌ ମ୍ୟାଚ୍‌ ଖେଳିବୁ । ସାମିଙ୍କ ଫିଟନେସ୍‌ ଓ ପ୍ରସ୍ତୁତି ଜଣାପଡ଼ିବ । ବିଶ୍ୱକପ୍‌ରେ ସୂର୍ଯ୍ୟକୁମାର ଦଳର ଏକ୍ସ-ଫ୍ୟାକ୍ଟର ହେବେ । ସେ ଭଲ ଫର୍ମରେ ଅଛନ୍ତି । ତାଙ୍କଠୁ ଆମେ ଶ୍ରେଷ୍ଠ ପ୍ରଦର୍ଶନ ଆଶା କରୁଛୁ ।’