ୟୁକ୍ରେନରେ ଷ୍ଟାରଲିଂକ ଇଣ୍ଟରନେଟ୍ ସର୍ଭିସ ବନ୍ଦ କରିବାକୁ ଧମକ୍ ଦେଲେ ଏଲନ୍ ମସ୍କ

ୱାସିଂଟନ : (ସଂକେତ୍ ଟିଭି) ବିଶ୍ୱର ସବୁଠୁ ଧନୀକ ବ୍ୟବସାୟୀ ଏଲନ ମସ୍କ ୟୁକ୍ରେନରେ ଷ୍ଟାରଲିଂକ ସର୍ଭିସ ବନ୍ଦ କରିବାକୁ ଧମକ ଦେଇଛନ୍ତି । ଜଣେ ୟୁକ୍ରେନୀୟ ରାଜଦୂତ ତାଙ୍କ ପ୍ରତି ଅସଭ୍ୟ ବ୍ୟବହାର କରିଥିବାରୁ ସ୍ପେସ୍ ଏକ୍ସ ଓ ଟେସ୍ଲା କମ୍ପାନୀଙ୍କ ମାଲିକ ଏହି ଚେତାବନୀ ଦେଇଛନ୍ତି । ପୁଟିନଙ୍କ ଭୀଷଣ ଆକ୍ରମଣରେ ଫଶିଥିବା ୟୁକ୍ରେନୀୟ ନାଗରିକଙ୍କ ଲାଗି ଏହି ସମୟରେ ଷ୍ଟାରଲିଙ୍କର ଇଣ୍ଟରନେଟ୍ ବହୁତ ଜରୁରି । ଯାହା ସେମାନଙ୍କୁ ବାକି ଦୁନିଆ ଓ ପରସ୍ପର ସହ ସଂଯୁକ୍ତ କରି ରଖିଛି ।

ସ୍ପେସ୍ ଏକ୍ସ ପକ୍ଷରୁ ଏକ ପତ୍ରରେ ଚେତାବନୀ ଦିଆଯାଇଛି ଯେ ଖୁବ୍‌ ଶୀଘ୍ର ଏହି ସେବାକୁ ୟୁକ୍ରେନ ଲାଗି ବନ୍ଦ କରାଯିବ । କ୍ରିମିୟା ପୋଲ ବିସ୍ଫୋରଣ ଓ ଏଲନ ମସ୍କଙ୍କ ସହ ପୁଟିନଙ୍କ ସମ୍ପର୍କ ବିବାଦକୁ ନେଇ ଏହି ଚେତାବନୀ ଦିଆଯାଇଛି । ଚଳିତମାସ ପ୍ରାରମ୍ଭରେ ଏଲନ ମସ୍କ ଟ୍ୱିଟରରେ ଏକ ପୋଲ କରିଥିଲେ । ଯେଉଁଥିରେ ଶାନ୍ତି ପାଇଁ କିଭକୁ କ୍ରିମିଆ ଓ ଡୋନବାସକୁ କ୍ରେମଲିନ ହାତରେ ଛାଡି ଦେବା ଦରକାର ବୋଲି ପୋଲ କରାଇଥିଲେ । ମସ୍କଙ୍କ ଏହି ପୋଲ ବିବାଦର ସୂତ୍ରପାତ କରିଥିଲା । ଏଥିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲଂସ୍କି ମସ୍କଙ୍କ ଉପରେ ପୁଟିନଙ୍କ ପକ୍ଷ ନେଉଥିବାର ଅଭିଯୋଗ କରିଥିଲେ ।

ଜେଲଂସ୍କି ମଧ୍ୟ ଏକ ପୋଲ ପୋଷ୍ଟ କରିଥିଲେ, ଏଥିରେ ଆପଣଙ୍କୁ କେଉଁ ମସ୍କ ପସନ୍ଦ ଯିଏ ୟୁକ୍ରେନକୁ ସମର୍ଥନ କରୁଛନ୍ତି ନା ଜିଏ ଋଷିଆକୁ ସମର୍ଥନ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଜବାବରେ ଜର୍ମାନରେ ଅବସ୍ଥାପିତ କିଭ ରାଜଦୂତ ଏଣ୍ଡ୍ରି ମେଲେନିକ୍‌ ଏଲନ ମସ୍କଙ୍କ ଲାଗି ଅପଶବ୍ଦ ବ୍ୟବହାର କରିଥିଲେ । ଏଥିରେ ଗୁରୁବାର ରାତିରେ ମସ୍କଙ୍କ କମ୍ପାନୀ ଏକ ଚେତାବନୀ ଦେଇ ଯଦି ପେଣ୍ଟାଗନ ପୈଠ ନ କରନ୍ତି ତେବେ ୟୁକ୍ରେନ ଲାଗି ଷ୍ଟାରଲିଂକ ରୋକି ଦେବେ ବୋଲି ଧମକ ଦେଇଛନ୍ତି ।