ଭୟ ବଢାଇଲାଣି ଓମିକ୍ରନର ନୂଆ ସବ୍-ଭାରିଆଣ୍ଟ, ଦୀପାବଳୀରେ ନୂତନ ଲହର ଆଶଂକା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତରେ ଏବେ ପୁଣି ଥରେ ଭୟ ବଢାଇଲାଣି ଓମିକ୍ରନର ନୂଆ ସବ୍-ଭାରିଆଣ୍ଟସ୍ ba.5.1.7 ଓ bf.7 । ଚୀନର ମୋଙ୍ଗୋଲିଆରୁ ଉତ୍ପନ୍ନ ହୋଇଥିବା ଏହି ଭୂତାଣୁ ଏବେ ସାରା ବିଶ୍ୱକୁ କବଜା କରିବାକୁ ଯାଉଛି । ଏହା ସହ ନୂତନ ଲହର ସୃଷ୍ଟି ହେବା ନେଇ ବିଶେଷଜ୍ଞମାନେ ଆକଳନ କଲେଣି । ଏହା ଅତ୍ୟଧିକ ସଂକ୍ରାମକ ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ, ଗୁଜୁରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର ଦ୍ୱାରା ଭାରତରେ BF.7 ର ପ୍ରଥମ ମାମଲା ଚିହ୍ନଟ ହୋଇଛି । ଏହି ନୂତନ ସବ୍-ଭାରିଆଣ୍ଟ ଏତେ ସଂକ୍ରାମକ ଯେ, ଯାହା ଟୀକାକରଣରୁ ରୋଗ ପ୍ରତିରୋଧକ ଶକ୍ତିକୁ ମାତ୍ ଦେବାରେ ବି ସକ୍ଷମ । ଫଳରେ ଆଗକୁ ଆସୁଥିବା ଆଲୋକର ପର୍ବ ଦୀପାବଳି ସହ ଧନତେରାସ୍, ଗୋବର୍ଦ୍ଧନ ପୂଜା ଏବଂ ଭାଇ ଦୂଜ ଭଳି ଉତ୍ସବରେ ସଂକ୍ରମଣ ବଢିପାରେ ବୋଲି ଅନୁମାନ କରାଯାଉଛି । ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରାଯାଉଛି ।

ଲକଡାଉନ୍ ଓ କଟକଣା କୋହଳ ହେବା ପରେ ଲୋକମାନେ ଉତ୍ସାହର ସହ ବଡ ପର୍ବ ଦୀପାବଳି ପାଳିବାକୁ ଅନାଇ ବସିଛନ୍ତି । କାରଣ ଦୁଇ ବର୍ଷ ପରେ ସେହି ସୁଯୋଗ ମିଳିଛି । ହେଲେ ବିଶେଷଜ୍ଞମାନେ ନୂଆ ସବ-ଭାରିଆଣ୍ଟ ଚିହ୍ନଟ ହେବା ପରେ ଲୋକଙ୍କୁ ଏକପ୍ରକାର ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ।

ଏହି ଭାଇରସର ପ୍ରତିକାର ପାଇଁ ନିୟମିତ ମାସ୍କକୁ ପରିଧାନ କରିବା ସହ ଦୂରତା ବଜାୟ ରଖିବା ଜରୁରୀ । ଏହାସହ ଯଦି ଦେହରେ ଲକ୍ଷଣ ଦେଖାଯାଏ , ତେବେ ନିଜକୁ ତୁରନ୍ତ ଆଇସୋଲେଟ୍ କରି ରଖନ୍ତୁ । କାରଣ ଏହା ଶିଶୁ, ବୃଦ୍ଧ, କର୍କଟ ରୋଗୀଙ୍କ ସହ ଅନ୍ୟାନ୍ୟ ଗୁରୁତର ରୋଗୀଙ୍କୁ ସହଜରେ ସଂକ୍ରମିତ କରିପାରେ ।