ବିସିସିଆଇର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି

ମୁମ୍ବାଇ : (ସଂକେତ୍ ଟିଭି) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ଙ୍କୁ ନୂଆ ଅଧ୍ୟକ୍ଷ ଭାବରେ ଭେଟେରାନ କ୍ରିକେଟର ରୋଜର ବିନ୍ନିଙ୍କୁ ନିଯୁକ୍ତ କରାଯାଇଛି। ଏହି ନିଷ୍ପତ୍ତି ମଙ୍ଗଳବାର ଅନୁଷ୍ଠିତ ବିସିସିଆଇଙ୍କ ବାର୍ଷିକ ସାଧାରଣ ଅଧିବେସନ (ଏଜିଏମ)ରେ ନିଆଯାଇଛି।

ରୋଜର ୧୯୮୩ ୱାର୍ଲଡକପ୍ ବିଜେତା ଟିମ୍‌ର ସଦସ୍ୟ ଥିଲେ। ସେ ବିସିସିଆଇଙ୍କ ୩୬ ତମ ଅଧ୍ୟକ୍ଷ ହୋଇଛନ୍ତି। ୬୭ ବର୍ଷ ବୟସ୍କ ବିନ୍ନି ବିସିସିଆଇ ଅଧ୍ୟକ୍ଷ ପଦ ନିମନ୍ତେ ଏକାକୀ ପ୍ରାର୍ଥୀ ଥିଲେ। ତାଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥୀ ହୋଇ ନଥିଲେ। ଏଣୁ ବିନ୍ନିଙ୍କୁ ନିର୍ବିରୋଦ ବିସିସିଆଇ ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି। ପଦାଧିକାରୀମାନଙ୍କ ଏହି ନିର୍ବାଚନ କେବଳ ଏକ ଔପଚାରିକତା ଥିଲା। କାରଣ ତାଙ୍କର ନିର୍ବିରୋଧ ନିର୍ବାଚନ ପୂର୍ବ ନିର୍ଦ୍ଧାରିତ ଥିଲା।

ରୋଜର ବିନ୍ନି କର୍ଣ୍ଣାଟକ ଷ୍ଟେଟ୍‌ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଥିଲେ। ତେବେ ସେ ବିସିସିଆଇ ଅଧ୍ୟକ୍ଷ ହୋଇସାରିଥିବାରୁ ସେ ପୂର୍ବ ପଦବୀ ଛାଡିଦେବେ। ବିନ୍ନି ତାଙ୍କ ସମୟର ଜଣେ ମିଡିୟମ ପେସ୍ ବୋଲର ଥିଲେ। ସେ ୧୯୮୩ ୱାର୍ଲଡ କପରେ ୮ଟି ମ୍ୟାଚ୍‌ ଖେଳିଥିଲେ। ଏଥିରେ ସେ ସର୍ବାଧିକ ୧୮ଟି ୱିକେଟ୍ ପାଇଥିଲେ।

ଏହା ପୂର୍ବରୁ ସୌରଭ ଗାଙ୍ଗୁଲୀ ୨୦୧୯ରୁ ଏହି ପଦବୀ ସମ୍ଭାଳି ଆସୁଥିଲେ। ତେବେ କିଛି ସମୟ ପୂର୍ବରୁ ଗାଙ୍ଗୁଲୀଙ୍କ କାର୍ଯ୍ୟକାଳ ବଢା ଯିବ ବୋଲି ଅନୁମାନ କରାଯାଉଥିଲା। ତେବେ ମାତ୍ର କିଛି ଦିନରେ ସମିକରଣ ବଦଳି ଯାଇଥିଲା ଓ ଗାଙ୍ଗୁଲୀଙ୍କୁ ବିଦାୟ ନେବାକୁ ପଡିଛି।

କିଛି ଦିନ ପୂର୍ବରୁ ଦିଲ୍ଲୀରେ ସୌରଭ ଗାଙ୍ଗାଲୀଙ୍କ ସହ ବିସିସିଆଇ ଷ୍ଟେକ୍‌ ହୋଲ୍ଡରମାନଙ୍କର ବୈଠକ ହୋଇଥିଲା। ଏହି ବୈଠକରେ ଗାଙ୍ଗୁଲୀ ବିସିସିଆଇ ଅଧ୍ୟକ୍ଷ ପଦରେ କାୟମ ରହିବାକୁ ଚାହିଁଥିଲେ। ତେବେ ଷ୍ଟେକହୋଲ୍ଡରମାନେ ଏଥିରେ ସହମତ ହୋଇନଥିଲେ। ତେବେ ଅନ୍ୟ ଏକ ସୂତ୍ରରୁ ସୌରଭ ଗାଙ୍ଗୁଲୀଙ୍କୁ ଆଇପିଏଲ ଚେୟାରମ୍ୟାନ ପଦର ଅଫର ମଧ୍ୟ ଦିଆଯାଇଥିଲା। ତେବେ ଗାଙ୍ଗୁଲୀ ଏଥିଲାଗି ରାଜି ହୋଇନଥିଲେ ବୋଲି ଜଣାପଡିଛି।