ବାଲେଶ୍ବର ଡାକ୍ତରଖାନା ଓ ଆରଟିଓ ଅଫିସରୁ ୬ ଦଲାଲ୍ ଗିରଫ
ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ମୁଖ୍ଯ ଡାକ୍ତରଖାନା ଓ ଆରଟିଓ ଅଫିସରୁ ଆଜି ପୋଲିସ ୬ ଜଣ ଦଲାଲଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୬ଟି ମୋବାଇଲ ଫୋନ୍, ଓପିଡି ଟିକେଟ୍ , ଆଧାର କାର୍ଡ, ପାଥୋଲ୍ୟାବର ମନି ରିସିପ୍ଟ, ଡ୍ରାଇଭିଂ ଲାଇସେନ୍ସ ଏବଂ ନଗଦ ୧୬ ହଜାର ଟଙ୍କା ଆଦି ଜବତ କରାଯାଇଛି ।
ଡାକ୍ତରଖାନାରୁ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ସିଂଲା ବିଶ୍ବନାଥପୁରର ହରେନ୍ଦ୍ର ସାମଲ, ବାଲେଶ୍ବର ସହରର କେଶପୁରର ରବୀନ୍ଦ୍ର ପାଣିଗ୍ରାହୀ, ତନ୍ତିସାହିର ରଶ୍ମୀରଂଜନ ଦାସ । ସେହିପରି ଆରଟିଓ ଅଫିସରୁ ଗିରଫ ବ୍ୟକ୍ତିମାନେ ହେଲେ ଜଳେଶ୍ବର ବିରିଶପୁରର ଅମରନାଥ ଘୋଷାଲ୍ , ସୋର ଜଗନ୍ନାଥପୁରର ଦୀପ୍ତିକାନ୍ତ ସ୍ବାଇଁ ଏବଂ ବସ୍ତା ଛଚିନାର ଗଗନ ଚନ୍ଦ୍ର ସାହୁ ।
ବାଲେଶ୍ବର ଡାକ୍ତରଖାନାରୁ ଗିରଫ ହୋଇଥିବା ଦଲାଲମାନେ ରୋଗୀମାନଙ୍କୁ ସହରର ବିଭିନ୍ନ ଘରୋଇ କ୍ଲିନିକକୁ ପଠାଉଥିବାବେଳେ ମଳମୂତ୍ର ପରୀକ୍ଷା ପାଇଁ ଘରୋଇ ପାଥୋ ଲ୍ୟାବମାନଙ୍କୁ ପଠାଇ ମୋଟା ଅଂକର କମିଶନ ପାଉଥିଲେ । ସେହିପରି ଆରଟିଓ ଅଫିସରେ ଗାଡିର କାଗଜପତ୍ର ଶିଘ୍ର କରାଇ ଦେବାର ପ୍ରତିଶୃତି ଦେଇ ସେମାନେ ସାଧାରଣ ଲୋକଙ୍କ ଠାରୁ ଅର୍ଥ ଆଦାୟ କରୁଥିଲେ ।
ଏନେଇ ବାଲେଶ୍ବର ଟାଉନଥାନା ଏବଂ ଶିଳ୍ପାଞ୍ଚଳ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇ ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି ।