୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

ଦେବଗଡ଼ : (ସଂକେତ୍ ଟିଭି) ଠିକାଦାରଙ୍କ ଠାରୁ ୮୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଦେବଗଡ଼ ପୌର ପରିଷଦର ପୂର୍ବତନ କନିଷ୍ଠ ଯନ୍ତ୍ରୀ ବିଜୟାନଦ ସାହୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ସୂଚନା ଅନୁଯାୟୀ, ଦେବଗଡ଼ ପୌର ପରିଷଦ ଅଧିନରେ ଠିକାକାମ କରୁଥିବା କଳିତ କୁମାର ନାମକ ଠିକାଦର ସହରରେ ଏକ କଲଭର୍ଟ ନିର୍ମାଣ କରିଥିଲେ । ଏଥିପାଇଁ ପୌର ପରିଷଦ ପକ୍ଷରୁ କାର୍ଯ୍ୟାଦେଶ ମିଳିଥିଲା । ୨୦୨୦ ସଂପୃକ୍ତ ଠିକାଦାର କାମ ଶେଷ କରିଥିଲେ ମଧ୍ୟ ତାଙ୍କର ପ୍ରାପ୍ୟ ମିଳିନଥିଲା । ଏହି କାର୍ଯ୍ୟର ତଦାରଖ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ ବିଲ କରିବା ପାଇଁ ଠିକାଦାରଙ୍କୁ ବାରମ୍ବାର ହଇରାଣ କରୁଥିଲେ ।

ପରେ ୨୦୨୧ ମସିହାରେ ବିଜୟାନନ୍ଦଙ୍କ ବଦଳି ତିଲେଇବଣୀ ବ୍ଲକକୁ ହୋଇଯାଇଥିଲା । ସେ ଠିକା କାମର ସମସ୍ତ କାଗଜପତ୍ର ନିଜ ପାଖରେ ରଖିଥିଲେ । ଫଳରେ କାମ ସାରିଥିଲେ ମଧ୍ୟ ଠିକାଦାର ପ୍ରାପ୍ୟ ପାଇପାରିନଥିଲେ। ଏନେଇ ସଂପୃକ୍ତ ଠିକାଦାରଙ୍କୁ କନିଷ୍ଠ ଯନ୍ତ୍ରୀଙ୍କ ନିକଟକୁ ବାରମ୍ବାର ଦୌଡାଇବା ପରେ ବିଲ ଟଙ୍କାର ଦୁଇ ଭାଗ ଆଗୁଆ ଦେବା ପାଇଁ କହିଥିଲେ । ଠିକାଦର ଗୁରୁବାର ଦିନ କନିଷ୍ଠ ଯନ୍ତ୍ରୀଙ୍କୁ ଆଠ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ପହଞ୍ଚି ବିଜୟାନନ୍ଦଙ୍କୁ ଧରିଥିଲା । କନିଷ୍ଠ ଯନ୍ତ୍ରୀଙ୍କ ନିକଟରୁ ଆଠ ହଜାର ଟଙ୍କା ମଧ୍ୟ ଜବତ କରିଛି ଭିଜିଲାନ୍ସ ।

ସେହିପରି ଶ୍ରୀ ସାହୁଙ୍କ ପୁରୁଣାଗଡ଼ ସ୍ଥିତ ବାସ ଭବନ, କାର୍ଯ୍ୟାଳୟ ଓ କଟକ ଜିଲ୍ଲା ବୈଦେଶ୍ଵର ଥାନା ଅନ୍ତର୍ଗତ କେନ୍ଦୁପାଲିସ୍ଥିତ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି । ଦେବଗଡ ଭିଜିଲାନ୍ସ ଡିଏସପି ଯୋଗେଶ ପ୍ରସାଦ ପଟେଲ ଓ ଝାରସୁଗୁଡ଼ା ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଆଇନ୍ଦଙ୍କ ନେତୃତ୍ଵରେ ଦଶ ଜଣିଆ ଟିମ ଏହି ରେଡ୍‌ରେ ସାମିଲ ଥିଲେ ।