ଟି-୨୦ ବିଶ୍ବକପରୁ ବିଦା ହେଲା ଓ୍ବେଷ୍ଟ ଇଣ୍ଡିଜ୍

ହୋବାର୍ଟ : (ସଂକେତ୍ ଟିଭି) ଟି-୨୦ ୱାର୍ଲଡ କପ୍‌ ୨୦୨୨ରୁ ଦୁଇ ଦୁଇ ଥରର ବିଶ୍ବକପ ବିଜେତା ଓ୍ବେଷ୍ଟ ଇଣ୍ଡିଜ ବିଦା ହୋଇଛି । ହୋବାର୍ଟଠାରେ ହୋଇଥିବା ଏକ ମ୍ୟାଚରେ ଆୟର୍ଲାଣ୍ଡଠାରୁ ୯ ଓ୍ବିକେଟରେ ପରାସ୍ତ ହୋଇ ଇଣ୍ଡିଜ ଦଳ ସୁପର-୧୨ ପର୍ଯ୍ୟାୟକୁ ଯିବାରେ ବିଫଳ ହୋଇଛି ।

ଏହି ମ୍ୟାଚରେ ଇଣ୍ଡିଜ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଓ୍ବିକେଟ୍ ହରାଇ ୧୪୬ ରନ କରିଥିଲା । ଦଳ ପକ୍ଷରୁ ବ୍ରାଣ୍ଡନ କିଙ୍ଗ ୬୨ ରନ କରିଥିବାବେଳେ ଜେ.ଚାର୍ଲସ ୨୪ ରନ କରିଥିଲେ ।

୧୪୭ ରନର ଲକ୍ଷ୍ୟକୁ ଆୟର୍ଲାଣ୍ଡ ମାତ୍ର ଗୋଟିଏ ଓ୍ବିକେଟ ହରାଇ ୧୭.୩ ଓଭରରେ ହାଲ କରିନେଇଥିଲା । ଦଳ ପକ୍ଷରୁ ପଲ ଷ୍ଟର୍ଲିଂ ୬୬ ରନ କରିଥିବାବେଳେ ଆଣ୍ଡ୍ର୍ୟୁ ବେଲବର୍ନି ୩୭ ରନ ଓ ଲର୍କାନ ଟକର ୪୫ ରନ କରିଥିଲେ ।

ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଜିମ୍ବାୱେକୁ ହରାଇ ପରିସ୍ଥିତିକୁ ୱେଷ୍ଟଇଣ୍ଡିଜ ସମ୍ଭାଳି ନେଇଥିଲା। ଏଣୁ ଆୟରଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ଟି ୱେଷ୍ଟଇଣ୍ଡିଜ୍ ଲାଗି କର ଅବା ମର ମ୍ୟାଚ୍‌ ଥିଲା। ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂରେ ବିଫଳ ହୋଇଛି। ଏଣୁ ଟିମ୍‌ ଫ୍ଲପ୍ ହୋଇଥିବା ବେଳେ ୯ ୱିକେଟ୍‌ ରେ ମ୍ୟାଚ୍‌ ହାରି ସୁପର-୧୨ରେ ପହଞ୍ଚିବାର ସୁଯୋଗ ମଧ୍ୟ ହରାଇଛି। ଟି-୨୦ୱାର୍ଲଡ କପ୍‌ର ଏହି ମ୍ୟାଚ୍‌ରୁ ୱେଷ୍ଟଇଣ୍ଡିଜ୍ ଟିମ୍‌ର ଯାତ୍ରା ସମାପ୍ତ ହୋଇଯାଇଛି। ଇଣ୍ଡିଜ୍ ୨୦୧୨ ଓ ୨୦୧୬ରେ ଟି-୨୦ ବିଶ୍ବକପ ଚାମ୍ପିଅନ ହୋଇଥିଲା ।

ଚଳିତ ବିଶ୍ବକପରେ ଆସନ୍ତା ଶନିବାର ଅର୍ଥାତ୍ ଅକ୍ଟୋବର ୨୨ରୁ ସୁପର-୧୨ ମ୍ୟାଚଗୁଡ଼ିକ ଆରମ୍ଭ ହେବ । ଭାରତ ନିଜର ପ୍ରଥମ ମ୍ୟାଚରେ ରବିବାରଦିନ ପାକିସ୍ତାନକୁ ଭେଟିବ ।