ଭାରତକୁ ଆସିପାରେ କରୋନାର ଆଉ ଏକ ଲହର, ଚେତାବନୀ ଦେଲା ହୁ

ଜେନେଭା: (ସଂକେତ୍ ଟିଭି) ଓମିକ୍ରନର ଏକ୍ସବିବି ସବ ଭାରିଏଣ୍ଟ ସଂକ୍ରମଣ ଯୋଗୁ ଭାରତ ସମେତ ଆଉ କିଛି ଦେଶରେ କୋଭିଡ ସଂକ୍ରମଣର ଆଉ ଏକ ଲହର ଦେଖାଯାଇପାରେ । ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କ ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ୱାମୀନାଥନ ଏ ନେଇ ଚେତାବନୀ ଦେଇଛନ୍ତି ।

ସେ କହିଛନ୍ତି ଯେ ଓମିକ୍ରନର ୩୦୦ରୁ ଅଧିକ ସବଭାରିଏଣ୍ଟ ଅଛି। ତେବେ ଏଥିରୁ ଏବେ ଯାହା ଚିନ୍ତାର କାରଣ ତାହା ଏକ୍ସବିବି । ଭୂତାଣୁର ଏହି ପ୍ରକାର ଇମ୍ୟୁନେ ସିଷ୍ଟମରୁ ବର୍ତ୍ତିବାର କ୍ଷମତା ରଖୁଛି। ଏହାର ଅର୍ଥ ହେଉଛି ଏହି ସଂକ୍ରମଣ ଉପରେ ଆଣ୍ଟିବଡିର ମଧ୍ୟ କୌଣସି ଅସର ପଡୁ ନାହିଁ । ଏଣୁ ଧିରେ ଧିରେ ଏକ୍ସବିବି ଯୋଗୁ କିଛି ଦେଶରେ ସଂକ୍ରମଣର ନୂଆ ଲହର ଆସିପାରେ ବୋଲି ସେ କହିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ରିପୋର୍ଟ ଅନୁସାରେ ଓମିକ୍ରନ ବିଏ.୫ ସବ ଭାରିଏଣ୍ଟ ଏବେ ସାରା ବିଶ୍ୱରେ ବ୍ୟାପୁଛି, ଯାହା ୭୬.୨ ପ୍ରତିଶତ ସଂକ୍ରମଣ ଲାଗି ଦାୟୀ ବୋଲି କୁହାଯାଇଛି। ତେବେ ଭାରତରେ କୋଭିଡ ସଂକ୍ରମଣ ବର୍ତ୍ତମାନ ସମୟର ସବୁଠୁ ନିମ୍ନ ସ୍ତରରେ ରହିଛି।