ହାଇ ସିକୁ୍ୟରିଟି ନମ୍ବର ପ୍ଲେଟ୍‌ ପାଇଁ ସାଧାରଣ ଲୋକ ବେହାଲ

ଭୁବନେଶ୍ବର : (ସଂକେତ୍ ଟିଭି) ହାଇ ସିକୁ୍ୟରିଟି ନମ୍ବର ପ୍ଲେଟ୍‌(ଏଚ୍‌ଏସ୍‌ଆରପି) ଲଗାଯିବା ଆରମ୍ଭ ହେବା ପୂର୍ବରୁ ବଡ଼ବଡ଼ କଥା କୁହାଗଲା । ଏହି ନମ୍ବର ପ୍ଲେଟ୍‌ ଲଗାଇବା ସମୟରେ ସାଧାରଣ ଲୋକଙ୍କୁ କୌଣସି ପ୍ରକାର ସମସ୍ୟା ରହିବନି । ଯଥା ସମୟରେ ସ୍ଲଟ୍‌ ମିଳିଯିବ । ସାଧାରଣ ଲୋକେ ଶୋଷଣର ଶିକାର ହେବେନି । ଯେତିକି ପଇସା ଧାର୍ଯ୍ୟ ହୋଇଛି ତାହାଠାରୁ ଗୋଟେ ଟଙ୍କା କେହି ଅଧିକ ନେବେନି । ଯଦି କୌଣସି କମ୍ପାନୀ ଅଧିକ ଟଙ୍କା ଦାବି କରନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ନମ୍ବର ପ୍ଲେଟ୍‌ର ଗୁଣବତ୍ତାକୁ ନିୟମିତ ଯାଞ୍ଚ କରାଯିବ । ଏଥିପାଇଁ ସ୍କ୍ୱାଡ୍‌ ଗଠନ ହେବ । ଏମିତି ଭଳିକିଭଳି ପ୍ରତିଶ୍ରୁତି ଦେଇଥିଲା ରାଜ୍ୟ ପରିବହନ କମିସନର(ଏସ୍‌ଟିଏ)ଙ୍କ କାର୍ଯ୍ୟାଳୟ ।

କିନ୍ତୁ ଇତିମଧ୍ୟରେ ଏହି ନମ୍ବର ପ୍ଲେଟ୍‌ ଲଗାଇବା ପାଇଁ ବିଜ୍ଞପ୍ତି ଜାରି ହେବକୁ ଚାରି ମାସ ବିତିଗଲାଣି । ହେଲେ ଏସ୍‌ଟିଏ କହିଥିବା କୌଣସି ଗୋଟିଏ ବି ପ୍ରତିଶ୍ରୁତି ରଖିପାରିନି । ପରନ୍ତୁ ଏହି ନମ୍ବର ପ୍ଲେଟ୍‌ ଲଗାହେବା ଦିନରୁ ଗୋଟିଏ ପରେ ଗୋଟିଏ ବିବାଦ ମୁଣ୍ଡ ଟେକିବାରେ ଲାଗିଛି । ଏହାର ସମାଧାନ କରିବା ପରିବର୍ତ୍ତେ ଏସ୍‌ଟିଏର ଅଧିକାରୀମାନେ ଅନ୍ୟମାନଙ୍କ ଉପରେ ଦୋଷ ଲଦିଦେଇ ହାତବାନ୍ଧି ବସି ଯାଇଛନ୍ତି । ଫଳରେ ହାଇ ସିକୁ୍ୟରିଟି ନମ୍ବର ଲଗାଇବା ନାଁରେ ସାଧାରଣ ଲୋକେ ଅସୁରକ୍ଷିତ ହୋଇପଡ଼ିଥିଲାବେଳେ ଏସ୍‌ଟିଏର ଅଧିକାରୀମାନେ ବେଶ୍‌ ମାଲାମାଲ୍‌ ହୋଇଥିବା ଅଭିଯୋଗ ହୋଇଛି ।

ଏଚ୍‌ଏସ୍‌ଆରପି ଲଗାଇବ ପୂର୍ବରୁ କେଉଁ ଗାଡ଼ିର ନମ୍ବର ପ୍ଲେଟ୍‌ ପାଇଁ କେତେ ଅର୍ଥ ଦେବାକୁ ସେ ନେଇ ଏସ୍‌ଟିଏ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଉକ୍ତ ଧାର୍ଯ୍ୟ ମୂଲ୍ୟଠାରୁ ସାଧାରଣ ଲୋକଙ୍କଠାରୁ କେହି ଗୋଟେ ଟଙ୍କା ଅଧିକ ନେଇପାରିବେ ନାହିଁ । ଦୁଇ ଚକିଆ ଗାଡ଼ି ପାଇଁ ନମ୍ବର ପ୍ଲେଟ୍‌ ବଦଳାଇବା ଲାଗି ୩୨୦ରୁ ୩୮୦ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲବେଳେ ତିନି ଚକିଆ ଯାନ ପାଇଁ ୩୫୦ରୁ ୪୫୦, ଚାରି ଚକିଆ ଗାଡ଼ି ପାଇଁ ୫୯୦ରୁ ୭୦୦ ଟଙ୍କା ଏବଂ ହେଭି ଭେଇକିଲ୍‌ ଗାଡ଼ି ପାଇଁ ୬୦୦ରୁ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏହି ଚାରି ମାସ ମଧ୍ୟରେ ଦୁଇ ଚକିଆ ଯାନ ପାଇଁ ଜଣେ ଗାଡ଼ି ଚାଳକଙ୍କୁ ସାଢେ ୪ଶହ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି । ଖୋଲାଖୋଲି ବିଭିନ୍ନ ସଂସ୍ଥା ଏହି ଅର୍ଥ ନେଉଥିଲାବେଳେ ଏସ୍‌ଟିଏ ଚୁପ୍‌ ହୋଇ ବସିଯାଇଛି ।

ସେହିପରି ନମ୍ବର ପ୍ଲେଟ୍‌ର ଗୁଣବତ୍ତାକୁ ନେଇ ମଧ୍ୟ ଏବେ ପ୍ରଶ୍ନ ଉଠିଛି । ନମ୍ବର ପ୍ଲେଟ୍‌ର ଗୁଣବାକୁ ନେଇ ପ୍ରତ୍ୟେକ ଆରଟିଓ ସ୍ତରରେ ଏକ ସ୍କ୍ୱାଡ୍‌ ଗଠନ କରାଯିବ ବୋଲି କୁହାଯଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ଆରଟିଓରେ ଏହି ସ୍କ୍ୱାଡ୍‌ ଗଠନ କରାଗଲା ନାହିଁ କିମ୍ବା ଏହି ନମ୍ବର ପ୍ଲେଟ୍‌ର ଗୁଣବତ୍ତା ଯାଞ୍ଚ କରାଗଲା ନାହିଁ । ଫଳରେ ସାଧାରଣ ଲୋକେ ଏହି ନମ୍ବର ପ୍ଲେଟ୍‌ର ଗୁଣବତ୍ତା କିପରି ରହିଛି ତାହା ଜାଣିନପାରି ଲଗାଇ ଚାଲିଛନ୍ତି । କେତେକ ନମ୍ବର ପ୍ଲେଟ୍‌ର ରଙ୍ଗମଧ୍ୟ ଶୀଘ୍ର ଝାପ୍‌ସା ହୋଇଯାଉଛି । ଏହା ଉପରେ ମଧ୍ୟ ଏସ୍‌ଟିଏ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନାହିଁ ।

ଆଉ ଏକ ସବୁଠାରୁ ବଡ଼ ସମସ୍ୟା ହେଉଛି ସ୍ଲଟ୍‌ ବୁକିଂ । ଏହି ସ୍ଲଟ୍‌ ବୁକିଂ ସମସ୍ୟା ତୁରନ୍ତ ସମାଧାନ କରି ଦିଆଯିବ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ସ୍ଲଟ୍‌ ସାଧାରଣ ଲୋକଙ୍କୁ ସେମାନଙ୍କ ପସନ୍ଦ ହିସାବରେ ମିଳି ପାରୁନାହିଁ । ଏ ନେଇ ମଧ୍ୟ ଏସ୍‌ଟିଏ ନିରବ ରହିଛି । ପୂର୍ବରୁ ଏ ନେଇ କୌଣସି ସମସ୍ୟା ହେଲେ ଏସ୍‌ଟିଏକୁ ଅଭିଯୋଗ କରିବାକୁ କୁହାଯାଇଥିଲା । କିନ୍ତୁ ଏହି ଅଭିଯୋଗ କେବଳ ଟୁଇଟରରେ ଆସିଲେ ତାହାକୁ ଏସ୍‌ଟିଏ ଗ୍ରହଣ କରୁଛି । ଯାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଓଡ଼ିଶା ଭଳି ରାଜ୍ୟରେ ଯେଉଁଠି ଆଜି ବି ଅର୍ଦ୍ଧାଧିକ ଲୋକ ଇଣ୍ଟରନେଟ୍‌ ସେବା ପାଇବାରୁ ବଞ୍ଚିତ ସେଠି କେବଳ ଟୁଇଟର ଅଭିଯୋଗକୁ ଗ୍ରହଣ କରିବା ଏସ୍‌ଟିଏ ଭୂମିକା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।