କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦି, ରୋପ୍ ୱେ ପାଇଁ କଲେ ଶିଳାନ୍ୟାସ

ଡେରାଡୁନ : (ସଂକେତ୍ ଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ କେଦାରନାଥ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ଏହା ସହିତ ସେ କେଦାରନାଥ ରୋପ୍ ୱେ ଲାଗି ଶିଳାନ୍ୟାସ କରିଛନ୍ତି।

କେଦାରନାଥ ରୋପ୍ ୱେ ପାଖାପାଖି ୯.୭ କିଲୋମିଟର ଦୀର୍ଘ ହେବ। ଏହା ଗୌରୀକୁଣ୍ଡକୁ କେଦାରନାଥ ସହ ସଂଯୁକ୍ତ କରିବ। ଫଳରେ ଉଭୟ ସ୍ଥାନରୁ ଯାତ୍ରା ସମୟ ୬ରୁ୭ ଘଣ୍ଟାରୁ ହ୍ରାସ ହୋଇ ମାତ୍ର ୩୦ ମିନିଟ ହେବ। ସେହିପରି ହେମକୁଣ୍ଡ ରୋପୱେ ଗୋବିନ୍ଦ ଘାଟକୁ ହେମକୁଣ୍ଡ ସାହିବ ସହିତ ସଂଯୁକ୍ତ କରିବ। ଏହା ପ୍ରାୟ ୧୨.୪ କିଲୋମିଟର ଦୀର୍ଘ ହେବ। ଫଳରେ ଉଭୟ ସ୍ଥାନକୁ ଯାତ୍ରାର ସମୟ ଦିନକରୁ ହ୍ରାସ ହୋଇ ମାତ୍ର ୪୫ ମିନିଟ୍‌ରେ ସୀମିତ ହେବ। ଏହି ରୋପ୍ ୱେ ଘାଁଘରିଆକୁ ବି ସଂଯୁକ୍ତ ହେବ। ଏହି ରୋପୱେଗୁଡିକୁ ୨ହଜାର ୪୩୦ କୋଟି ଟଙ୍କା ନିବେଶରେ ନିର୍ମାଣ କରାଯିବ।

ଏହି ଅବସରରେ ମୋଦି ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧିସ୍ଥଳ ପରିଦର୍ଶନ କରିଥିଲେ। ପରେ ପ୍ରଧାନମନ୍ତ୍ରୀ ଏଠାରେ କାର୍ଯ୍ୟକାରୀ ହେଉଥିବା ମନ୍ଦାକିନୀ ଆସ୍ଥାପଥ ଓ ସରସ୍ୱତୀ ଆସ୍ଥା ପଥ ସହିତ ଅନ୍ୟ ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୧ହଜାର କୋଟି ଟଙ୍କାର ସଡ଼କ ପ୍ରଶସ୍ତିକରଣ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି।