ଭାରତ ସରକାର ନ ଚାହିଁଲେ ପାକ୍ ଗସ୍ତ ଅସମ୍ଭବ : ରୋଜର ବିନ୍ନି

ନୂଆଦିଲ୍ଳୀ : (ସଂକେତ୍ ଟିଭି) ଆସନ୍ତାବର୍ଷ ପାକିସ୍ତାନରେ ହେବାକୁ ଥିବା ଦିନିକିଆ ଏସିଆ କପ ଖେଳିବାକୁ ଟିମ ଇଣ୍ଡିଆ ଯିବ କି ନାହିଁ, ତା’କୁ ନେଇ ବିବାଦ ଦେଖାଯାଇଛି । ବିସିସିଆଇ ସମ୍ପାଦକ ଜୟ ଶାହ ସିଧାସଳଖ ଭାରତ କେବେ ହେଲେ ପାକିସ୍ତାନ ଯିବ ନାହିଁ କହିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜୟ ଶାହଙ୍କ ବୟାନ ପରେ ପାକିସ୍ତରନ ମଧ୍ୟ ଭାରତକୁ ୨୦୨୩ ବିଶ୍ୱକପ ଖେଳିବାକୁ ଆସିବ ନାହିଁ ବୋଲି କହିଛି ।

ଏସବୁ ବାଦ ବିବାଦ ଭିତରେ ପୂରା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିସିସିଆଇର ନୂଆ ସଭାପତି ରୋଜର ବିନ୍ନି । ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ କି ନାହିଁ, ତା’ର ନିଷ୍ପତ୍ତି ବିସିସିଆଇ ନେଇପାରିବ ନାହିଁ । ଏଭଳି ନିଷ୍ପତ୍ତି କେବଳ ଭାରତ ସରକାର ହିଁ ନେଇପାରିବେ ବୋଲି ସେ କହିଛନ୍ତି ।

କର୍ଣ୍ଣାଟକା ରାଜ୍ୟ କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ବିନ୍ନି ଯୋଗ ଦେଇଥିଲେ । ଏହି ସମୟରେ ତାଙ୍କୁ ଭାରତ ୨୦୨୩ ଏସିଆ କପ ଖେଳିବାକୁ ପାକିସ୍ତାନ ଯିବ କି ନାହିଁ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ବିନ୍ନି କହିଛନ୍ତି, ଆସନ୍ତାବର୍ଷ ଟିମର ପାକିସ୍ତାନ ଗସ୍ତ ସମ୍ପର୍କରେ ବିସିସିଆଇ ଏଯାଏ ଭାରତ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇ ନାହିଁ । ତଥାପି କେନ୍ଦ୍ର ସରକାର ହିଁ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଏହା ବିସିସିଆଇର ନିଷ୍ପତ୍ତି ପରିସର ଭିତରେ ଆସୁନି । ପାକିସ୍ତାନକୁ ଯିବା ପାଇଁ ଆମକୁ ଭାରତ ସରକାର ଅନୁମତି ଦରକାର ।

ଆମେ ଦେଶ ଛାଡ଼ିବା ବେଳେ ଓ ବିଦେଶରୁ ଟିମ୍ ଏଠାକୁ ଆସିବା ସମୟରେ ପ୍ରଥମେ ସରକାରଙ୍କ ଅନୁମୋଦନ ଆବଶ୍ୟକ । ଥରେ ଆମେ ସରକାରଙ୍କ ଠାରୁ ଅନୁମତି ପାଇବା ପରେ ସେ ଦିଗରେ ପଦକ୍ଷେପ ନେଇଥାଉ । ଆମ ତରଫରୁ ଏକତରଫା ଭାବେ ନିଷ୍ପତ୍ତି ନିଆଯାଏ ନାହିଁ । ଆମକୁ ସରକାରଙ୍କ ଉପରେ ନିର୍ଭର କରିବାକୁ ପଡ଼େ । ପାକିସ୍ତାନ ଗସ୍ତ ସମ୍ପର୍କରେ ଆମେ ଏଯାଏ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ରଖିନାହୁଁ ବୋଲି ସେ କହିଛନ୍ତି ।