ଅକ୍ଟୋବର ୩୦ରୁ ପୂର୍ଣ୍ଣ କ୍ଷମତାରେ ଉଡ଼ାଣ ଭରିବ ସ୍ପାଇସଜେଟ

ନୂଆଦିଲ୍ଳୀ : (ସଂକେତ୍ ଟିଭି) ଘରୋଇ ବିମାନ କମ୍ପାନୀ ସ୍ପାଇସ୍ ଜେଟ୍ ଉପରେ କଟକଣା ଉଠାଇଲା ବେସାମରିକ ବିମାନ ଚଳାଚଳ ବିଭାଗ । ପୂର୍ବରୁ ଫୁଲ୍‌ କ୍ଷମତାରେ ବିମାନ ଉଡ଼ାଣ ନେଇ ଡିଜିସିଏ ସ୍ପାଇସ୍ ଜେଟ୍ ଉପରେ କଟକଣା ଲଗାଇଥିଲା । ହେଲେ ଏବେ ବିଭାଗ ଏହାକୁ ଉଠାଇ ନେଇଛି । ଫଳରେ ଅକ୍ଟୋବର ୩୦ ତାରିଖ ଠାରୁ ବିମାନ କମ୍ପାନୀ ପୂର୍ଣ୍ଣ କ୍ଷମତାର ଉଡ଼ାଣ ଭରିପାରିବ ।

ଏନେଇ ଡିଜିସିଏ ପକ୍ଷରୁ ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି କଟକଣା ଉଠାଇଲା ଡିଜିସିଏ । ଅକ୍ଟୋବର ୩୦ ତାରିଖ ଠାରୁ ସ୍ପାଇସଜେଟ୍ ପୂର୍ଣ୍ଣ କ୍ଷମତାର ଉଡ଼ାଣ ଭରିପାରିବ । ଯାତ୍ରୀଙ୍କ ସୁରକ୍ଷାରେ ବାରମ୍ବାର ତ୍ରୁଟି ଏବଂ ସୁରକ୍ଷା ସମ୍ପର୍କିତ ଗାଇଡଲାଇନରେ ବାରମ୍ବାର ଉଲ୍ଲଂଘନ ଯୋଗୁ ସ୍ପାଇସଜେଟ୍ ଉପରେ କଟକଣା ଲଗାଇଥିଲା ଡିଜିସିଏ । କଟକଣାରେ ସେପ୍ଟେମ୍ବର ୩୧ ଯାଏ ୫୦ ପ୍ରତିଶତ କ୍ଷମତାରେ ଯାତ୍ରୀ ପରିବହନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ପରେ ଏହି କଟକଣାକୁ ଅକ୍ଟୋବର ୨୯ ଯାଏ ବଢ଼ାଇ ଦିଆଯାଇଥିଲା । କଟକଣା ତାରିଖ ପୂରିଥିବାରୁ ପୂର୍ଣ୍ଣ କ୍ଷମତାରେ ଉଡ଼ାଣ କରିବାକୁ ସ୍ପାଇସଜେଟକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତ ଜୁଲାଇ ମାସରେ ବାରମ୍ବାର ସ୍ପାଇସଜେଟ୍ ବିମାନ ଗୁଡିକରେ ଯାନ୍ତ୍ରୀକ ତ୍ରୁଟି ଚିନ୍ତାର କାରଣ ପାଲଟିଥିଲା । ଗୋଟିଏ ମାସରେ ୮ ଥର ଦୁର୍ଘଟଣାରୁ ବର୍ତ୍ତିଥିଲା ସ୍ପାଇସଜେଟ୍‌ ବିମାନ । କହି ରଖୁଛୁ ଯେ ସ୍ପାଇସଜେଟ୍ ଗୋଟିଏ ମାତ୍ର ବିମାନ କମ୍ପାନୀ ଯିଏ ସିକ୍କିମର ପାକୟୋଙ୍ଗରେ ଥିବା ଗ୍ରୀନଫିଲ୍ଡ ଏୟାରପୋର୍ଟକୁ ଦୈନିକ ଉଡ଼ାଣ ଭରୁଥିଲା । ହେଲେ ଏବେ ପରିଚାଳନାଗତ ସମସ୍ୟା କାରଣରୁ କମ୍ପାନୀ ଏବେ ଏହି ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ତେବେ କମ୍ପାନୀର ଏହି ନିଷ୍ପତ୍ତିରେ ରାଜ୍ୟର ବିଭାଗୀୟ ଅଧିକାର ଦୁଃଖ ପ୍ରକାଶ କରିଛନ୍ତି । ଏମିତି ନିଷ୍ପତ୍ତି ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ କ୍ଷତି ପହଞ୍ଚାଇବ ବୋଲି ସିକ୍କିମ ଅଧିକାରୀମାନେ କହିଛନ୍ତି ।