ଓଡ଼ିଶା ଉପକୂଳରୁ ୨୦୦ କି.ମି. ଦୂରରେ ଯିବ ବାତ୍ୟା

ଭୁବନେଶ୍ବର : (ସଂକେତ୍ ଟିଭି) ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ହେବାର କାରଣ ନାହିଁ । ଏହା ଓଡ଼ିଶା ଛୁଇଁବାର ନାହିଁ । ଓଡ଼ିଶା ଉପକୂଳରୁ ପ୍ରାୟ ୨୦୦କିମି ଦୂରରେ ସମୁଦ୍ର ଭିତରେ ସମାନ୍ତରାଳ ହୋଇ ବାଂଲାଦେଶ ଅଭିମୁଖେ ଅତିକ୍ରମ କରିବ । ତେଣୁ ସାଧାରଣ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ କିମ୍ବା ଗଣମାଧ୍ୟମ ବି ବାତ୍ୟା ସଂକ୍ରାନ୍ତରେ ହଟଚମଟ ସୃଷ୍ଟି କଲାଭଳି ଖବର ପରିବେଷଣ ନକରୁ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏକ ଭିଡିଓ ବାର୍ତା କରିଆରେ କହିଛନ୍ତି ।

ଶ୍ରୀ ଜେନା କହିଛନ୍ତି ଯେ, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଓ ସେମାନଙ୍କର ଆକଳନ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଆଜି ଅବପାତର ରୂପ ନେଇଛି ଓ ୨୩ତାରିଖ ସୁଦ୍ଧା ତୀବ୍ର ଅବପାତ ଏବଂ ୨୪ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେବ । ଏହି ସମ୍ଭାବ୍ୟ ବାତ୍ୟା ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଓଡ଼ିଶା ଉପକୂଳର ୨୦୦କିମି ଦୂରରେ ସମାନ୍ତରାଳ ଭାବେ ଗତି କରି ୨୫ତାରିଖ ସନ୍ଧ୍ୟା ସୁଦ୍ଧା ବାଂଲାଦେଶରେ ଉପକୂଳ ଛୁଇଁବ । ତେଣୁ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବାର କୌଣସି ସମ୍ଭାବନା ନାହିଁ ।

ଏହା ସମୁଦ୍ର ମଧ୍ୟରେ ସମାନ୍ତରାଳ ଭାବେ ବାଂଲାଦେଶ ଅଭିମୁଖେ ଅତିକ୍ରମ କରିବାବେଳେ ଧାମରାର ପୂର୍ବ ଦିଗରେ ଏହା ସବୁଠୁ କମ୍ ୨୦୦କିମି ଦୂର ବ୍ୟବଧାନରେ ଅତିକ୍ରମ କରିବ । ତେଣୁ ସମ୍ଭାବ୍ୟ ବାତ୍ୟାକୁ ନେଇ କୌଣସି ହଟଚମଟ ସୃଷ୍ଟି କଲାଭଳି ଖବର ପରିବେଷଣ ନକରିବାକୁ ଶ୍ରୀ ଜେନା ରାଜ୍ୟର ଗଣମାଧ୍ୟମଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ସାଧାରଣ ଲୋକଙ୍କୁ ଆତଙ୍କିତ ନହେବା ପାଇଁ କହିଛନ୍ତି ।

ସେ କହିଛନ୍ତି ଯେ, ବାତ୍ୟା ଓଡ଼ିଶା ଉପକୂଳ ନଛୁଇଁଲେ ମଧ୍ୟ ରାଜ୍ୟ ସରକାର ପ୍ରାକୃତିକ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ଆବଶ୍ୟକୀୟ ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି । ପାଣିପାଗର ବିଭାଗର ପୂର୍ବାନୁମାନ ଅନୁସାରେ ଏହାର ପ୍ରଭାବରେ ସମୁଦ୍ର ଉପକୂଳବର୍ତୀ ଜିଲ୍ଲା ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରରେ ଘଂଟା ପ୍ରତି ୫୦ରୁ ୬୦କିମି ବେଗରେ ପବନ ବୋହିବ ଓ ଅନ୍ୟ ଉପକୂଳ ଜିଲ୍ଲାଗୁଡ଼ିକରେ ଘଂଟା ପ୍ରତି ୩୦ରୁ ୪୦କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ତେବେ ରାଜ୍ୟରେ କିଛି ଅଂଚଳରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି ବୋଲି ଶ୍ରୀ ଜେନା କହିଛନ୍ତି ।

ରାଜ୍ୟ ସରକାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଓ ସମସ୍ତ ପ୍ରକାରର ପ୍ରସ୍ତୁତି କରିଛନ୍ତି । ଆଜି ଓଡ୍ରାଫ, ଏନଡିଆରଏଫ, ଫାୟାର ସର୍ଭିସ, କୋଷ୍ଟ ଗାର୍ଡ ଓ ଇଣ୍ଡିଆନ ନାଭିର ଅଧିକାରୀମାନଙ୍କ ସହ ଏସଆରସି ଶ୍ରୀ ଜେନା ନିଜେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଆଗୁଆ ପ୍ରସ୍ତୁତି କରିଛନ୍ତି । କେତେକ ସ୍ଥାନରେ ଓଡ୍ରାଫ, ଏନଡିଆରଏଫ ଓ ଫାୟାର ସର୍ଭିସର ଯବାନମାନଙ୍କୁ ମୁତୟନ କରାଯିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ୨୨ତାରିଖ ସକାଳ ସୁଦ୍ଧା କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି ଓ ୨୬ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ କୁହାଯାଇଛି ।ଶ୍ରୀ ଜେନା ବଜାରରେ ଅଯଥା ଭିଡ଼ ନକରିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ପ୍ରବେଶ କରୁନଥିବାରୁ ଦୋକାନବଜାର ସ୍ୱାଭାବିକ ଖୋଲା ରହିବ । ତେଣୁ ବାତ୍ୟାକୁ ନେଇ ଅଯଥା ଦୋକାନବଜାର ଭିଡ଼ ନକରିବା ଓ ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ କହିଛନ୍ତି ଆଗାମୀ ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ଓଡ଼ିଶା ଉପରେ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । ତେବେ ୨୪ ଓ ୨୫ ତାରିଖରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ୨୩ ତାରିଖରେ ପବନର ବେଗ ୩୫ରୁ ୪୫ କିମି ପ୍ରତି ଘଂଟା ବହିପାରେ । ୨୪ ରେ ପବନର ବେଗ ବୃଦ୍ଧି ପାଇ ୪୫ ରୁ ୫୫ ଏବଂ ସ୍ଥାନେ ସ୍ଥାନେ ୬୫ କିମି ପହଂଚିପାରେ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମନା କରାଯାଇଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ୨୩ ତାରିଖରେ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଓ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ତାରିଖ ବେକୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ଏହି ଦିନ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା (୭ରୁ ୨୦ ସେମି) ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି ।