ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ଭାରି ହ୍ରାସ, ୨ବର୍ଷର ସର୍ବନିମ୍ନ ସ୍ତର

ମୁମ୍ବାଇ : (ସଂକେତ୍ ଟିଭି) ଭାରତୀୟ ବୈଦେଶିକ ମୁଦ୍ରାଭଣ୍ଡାର ହ୍ରାସ ହୋଇ ଗତ ୨ ବର୍ଷର ସର୍ବନିମ୍ନ ସ୍ତରକୁ ପହଞ୍ଚିଯାଇଛି। ରିପୋର୍ଟ ଅନୁସାରେ ୧୪ ଅକ୍ଟୋବରରେ ଶେଷ ହୋଇଥିବା ସପ୍ତାହ ସୁଦ୍ଧା ବିଦେଶୀମୁଦ୍ରା ଭଣ୍ଡାରରେ ମାତ୍ର ୫୨୮.୩୬୭ ବିଲିୟନ ଡଲାର ଶେଷ ରହିଛି । ଯାହା ଗତ ୨ ବର୍ଷର ସବୁଠୁ ନିମ୍ନତମ ସ୍ତର ବୋଲି କୁହାଯାଉଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ତଥ୍ୟ ଅନୁସାରେ ପୂର୍ବସପ୍ତାହ ତୁଳନାରେ ଭାରତୀୟ ବୈଦେଶିକ ମୁଦ୍ରାଭଣ୍ଡାରରେ ଆଉ ୪.୫ ବିଲିୟନ ଡଲାର ହ୍ରାସ ହୋଇଛି। ପୂର୍ବ ସପ୍ତାହରେ ବୈଦେଶିକ ମୁଦ୍ରାଭଣ୍ଡାରରେ ୫୩୨.୮୬୮ ବିଲିୟନ ଡଲାର ଥିଲା। ଆରବିଆଇଙ୍କ ଅନୁସାରେ ଭାରତର ବୈଦେଶିକ ମୁଦ୍ରା ସମ୍ପତ୍ତି ଯାହା ବୈଦେଶିକ ମୁଦ୍ରାଭଣ୍ଡାରର ସବୁଠୁ ବଡ଼ ସମ୍ବଳ ତାହା ଗତ ସପ୍ତାହ ତୁଳନାରେ ଆହୁରି ୨.୮୨୮ ବିଲିୟନ ଡଲାର କମିଯାଇଛି। ଫଳରେ ଏବେ ଏହା ୪୬୮.୬୬୮ ବିଲିୟନ ଡଲାରକୁ ଖସି ଆସିଛି।

ତେବେ କେବଳ ବେଦେଶିକ ମୁଦ୍ରାଭଣ୍ଡାର ନୁହେଁ ସ୍ୱର୍ଣ୍ଣ ଭଣ୍ଡାର ମୂଲ୍ୟାୟନ ମଧ୍ୟ ହ୍ରାସ ହେଉଛି। ସ୍ୱର୍ଣ୍ଣ ଭଣ୍ଡାରରେ ୧.୫ ବିଲିୟନ ଡଲାରର ହ୍ରାସ ଦେଖାଯାଇଛି। ଫଳରେ ଭାରତୀୟ ସ୍ୱର୍ଣ୍ଣ ଭଣ୍ଡାରର ମୂଲ୍ୟ ୩୭.୪୫୩ ବିଲିୟନ ଡଲାରକୁ ଖସିଛି। ବେଦେଶିକ ମୁଦ୍ରା ଓ ସ୍ୱର୍ଣ୍ଣ ଭଣ୍ଡାର ହ୍ରାସ ଯୋଗୁ ଅନ୍ତର୍ଜାତୀୟ ମୁଦ୍ରାଫାଣ୍ଠି (ଆଇଏମଏଫ)ରେ ଭାରତର ସ୍ପେଶିଆଲ ଡ୍ରଇଁ ରାଇଟସ୍‌ (ଏସଡିଆରଏସ)ରେ ମଧ୍ୟ ୧୪୯ ମିଲିୟନ ଡଲାର ହ୍ରାସ ହୋଇଛି।

ଭାରତୀୟ ବିଦେଶୀ ମୁଦ୍ରାଭଣ୍ଡାର ହ୍ରାସ ପଛରେ ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରକ ତାହା ହେଉଛି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି। ଏହା ଛଡା ଯାହା ଦ୍ୱିତୀୟ କାରଣଟି ରହିଛି ତାହା ହେଉଛି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ। ଏଣୁ ଟଙ୍କାର ମୂଲ୍ୟ ନିୟନ୍ତ୍ରଣ ପାଇଁ ଆରବିଆଇ ଗ୍ରହଣ କରିଥିବା ପଦକ୍ଷେପ ମୁଦ୍ରାଭଣ୍ଡାର ହ୍ରାସ କରିଛି। ଟଙ୍କାକୁ ମୂଲ୍ୟ ହ୍ରାସରୁ ରକ୍ଷା କରିବା ପାଇଁ ଆରବିଆଇ ବିପୁଳ ପରିମାଣରେ ଡଲାର ଖର୍ଚ୍ଚ କରୁଛନ୍ତି। ଏଣୁ ବଜାରରେ ଟଙ୍କା ମୂଲ୍ୟରେ ଅଚାନକ ହ୍ରାସକୁ ରୋକା ଯାଇପାରିଛି।

ଅନ୍ତର୍ଜାତୀୟ ବଜାରରେ ପ୍ରମୁଖ ମୁଦ୍ରା ତୁଳନାରେ ଡଲାର ଲଗାତାର ମଜଭୁତ ହେବାରେ ଲାଗିଛି। ଏଣୁ ଗତ କିଛି ସପ୍ତାହ ହେଲା ଟଙ୍କା ଲଗାତାର ଦୁର୍ବଳ ହେଉଛି ଓ ସର୍ବକାଳୀନ ନିମ୍ନ ସ୍ତରକୁ ପହଞ୍ଚିଛି। ଚଳିତବର୍ଷ ଏ ପର୍ଯ୍ୟନ୍ତ ଟଙ୍କା ଡଲାର ତୁଳନାରେ ୧୦ରୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେଲାଣି।