ଟି-୨୦ ବିଶ୍ୱକପ: ପାକିସ୍ତାନକୁ ମାତ୍ ଦେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଳୀ : (ସଂକେତ୍ ଟିଭି) ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ପାକିସ୍ଥାନକୁ ପରାଜିତ କରି ଦୀପାବଳୀ ପୂର୍ବରୁ ଦେଶବାସୀଙ୍କୁ ଦିପାବଳୀ ଭେଟି ଦେଇଛନ୍ତି । ବିରାଟ କୋହଲିଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନକୁ ୪ ୱିକେଟରେ ପରାଜିତ କରିଛି । ଏହି ବିଜୟରୁ ଭାରତର ବିଶ୍ବକପ ଅଭିଯାନ ଆରମ୍ଭ କରିଛି।

ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେବା ପରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ୍ କରିଥିଲା। ଏହାପରେ ଭାରତୀୟ ଟିମ୍ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ୧୬୦ ରନ୍ କରି ନେଇଥିଲା। ଭାରତୀୟ ଟିମ୍ ପକ୍ଷରୁ ରୋହିତ ଶର୍ମା (ଅଧିନାୟକ) ଓ କେଏଲ୍ ରାହୁଲ (ଉପ-ଅଧିନାୟକ) ୪ ରନ୍‌ ଲେଖାଏ କରି ଆଉଟ ହୋଇଥିଲେ। ସେମାନଙ୍କ ପରେ ଆସିଥିବା ବିରାଟ କୋହଲି ୮୨ରନ୍, ସୂର୍ଯ୍ୟକୁମାର ଯାଦବ ୧୫ ରନ୍, ଅକ୍ଷର ପଟେଲ ୨ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ୍, ଦୀନେଶ କାର୍ତ୍ତିକ (ୱିକେଟ୍ କିପର) ୧ ରନ୍ ଓ ଅଶ୍ୱିନୀ ନଟ୍ ଆଉଟ ୧ ରନ୍ କରିଥିଲେ।

ପାକିସ୍ତାନ ବିପକ୍ଷରେ ଭାରତକୁ ଜିତାଇବାରେ ବିରାଟ କୋହିଲି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅପରାଜିତ ଅର୍ଦ୍ଧଶତକରେ କୋହିଲି ଖେଳିଥିଲେ ମ୍ୟାଚ ବିଜୟୀ ୮୨ ରନର ଧୂଆଧାର ଇନିଂସ। ୫୩ ବଲରୁ ୬ ଚୌକା ଓ ୪ ଛକା ସହାୟତାରେ ଅପରାଜିତ ୮୨ରନ କରିଥିଲେ ବିରାଟ କୋହିଲି। ଶେଷ ଭାଗରେ ଅବିଶ୍ବସନୀୟ ବ୍ୟାଟିଂ ପ୍ରଦର୍ଶନ କଲେ କୋହିଲି। ଅଶ୍ବିନୀ ଶେଷ ବଲରେ ୧ ରନ କରି ଭାରତ ପାଇଁ ବଡ଼ ବିଜୟ ଆଣି ଦେଇଥିଲେ ।