୨୦୨୫ରେ ଚନ୍ଦ୍ରରେ ଲାଗିବ ଗଛ

ନୂଆଦିଲ୍ଳୀ : (ସଂକେତ୍ ଟିଭି) ଚନ୍ଦ୍ରରେ ଜୀବଜଗତ ନାହିଁ । ତଥାପି ପୃଥିବୀରେ ମିଳୁଥିବା ଜୀବନର କିଛି ରୂପ ଚନ୍ଦ୍ରରେ ଜୀବଜଗତ ସୃଷ୍ଟିରେ ସହାୟକ ହୋଇପାରିବ । ବୈଜ୍ଞାନିକ ଚନ୍ଦ୍ର ପୃଷ୍ଠରେ ଚାରା ରୋପଣ କରି ସେଠାରେ ଜୀବଜଗତର ଶୁଭାରମ୍ଭ କରିବାକୁ ଚାହୁଁଛନ୍ତି ।

ଷ୍ଟାର୍ଟ-ଅପ୍ ଲୁନାରିୟା ୱାନ୍ ସହଯୋଗରେ ଅଷ୍ଟ୍ରେଲିୟନ୍‌ ନ୍ୟାସନାଲ୍ ୟୁନିଭର୍ସିଟିର ବୈଜ୍ଞାନିକ ୨୦୨୫ ବେଳକୁ ଚନ୍ଦ୍ରରେ ଚାରା ରୋପଣ କରିବାକୁ ଚାହୁଁଛନ୍ତି । ଅଷ୍ଟ୍ରେଲିୟନ୍ ଲୁନାର ଏକ୍ସପେରିମେଣ୍ଟ ପ୍ରୋମୋଟିଙ୍ଗ ହର୍ଟିକଲ୍‌ଚର (ଏଲ୍‌ଇପିଏଚ୍‌-୧) ପେଲୋଡ୍‌, ସ୍ପେସିଲ୍‌ର ବେରେଶିଟ୍‌-୨ ଲ୍ୟାଣ୍ଡର୍ରେ ଲଞ୍ଚ୍‌ କରିବ । ଇସ୍ରାଏଲ ୨୦୨୦ ମସିହାରେ ନିଜର ପ୍ରଥମ ଚନ୍ଦ୍ର ମିଶନ୍ ଅସଫଳ ହେବା ପରେ ଏହି ପ୍ରୋଜେକ୍ଟ ଘୋଷଣା କରିଥିଲା । ଚୀନ୍ ମଧ୍ୟ ନିଜର ଚାଙ୍ଗ୍‌-୪ ଲ୍ୟାଣ୍ଡରରେ ଏଭଳି ପରୀକ୍ଷଣ କରିଥିଲା, ଏଥିରେ କପା ମଞ୍ଜି ସଫଳତାପୂର୍ବକ ଅଙ୍କୁରିତ ହୋଇଥିଲା ।

ଏହା ପୂର୍ବରୁ ଚନ୍ଦ୍ରରେ କେବେ କିଛି ରୋପଣ କରାଯାଇ ନାହିଁ । ତେବେ ଏଏଲ୍‌ଇପିଏଚ୍‌୧ ଚାରା ଓ ମଞ୍ଜିଗୁଡ଼ିକୁ ଏକ ସୁରକ୍ଷାତ୍ମକ ଚାମ୍ବରରେ ରଖାଯିବ । ତଥାପି ଏଥିରେ ଅନେକ ଆହ୍ୱାନ ସାମ୍ନାକୁ ଆସିବ । ଚନ୍ଦ୍ରରେ ଜଳ ବହୁତ ମହଙ୍ଗା ହେବ, ମାଧ୍ୟାକର୍ଷଣ ଦୁର୍ବଳ ହେବ । ଦିନ ଓ ରାତି ଉଭୟ ପୃଥିବୀର ୭ ଦିନ ପର୍ଯ୍ୟନ୍ତ ଚାଲିବ । ସେଠାକାର ବାୟୁମଣ୍ଡଳ ଯାହା ବି ହେଉ ନା କାହିଁକି, ହାନିକାରକ ସୌର ବିକିରଣଠୁ ପୃଷ୍ଠକୁ ରକ୍ଷା କରିବା ଅସମ୍ଭବ ।

ଅଷ୍ଟ୍ରେଲିୟନ୍ ନ୍ୟାସନାଲ୍‌ ୟୁନିଭର୍ସିଟିର ପ୍ଲାଣ୍ଟ ବାୟୋଲୋଜିଷ୍ଟ ଓ ଲୁନାରିୟା ୱାନ୍‌ର ବିଜ୍ଞାନ ପରାମର୍ଶଦାତା କ୍ୟାଟ୍‌ଲିନ୍ ବଟର କହିଛନ୍ତି, ସବୁଠୁ କଠିନ ବାୟୁମଣ୍ଡଳରେ ଗଛ ଲଗାଇବା ପାଇଁ ମହାକାଶ ଏକ ଅସାଧାରଣ ପରୀକ୍ଷଣ ସ୍ଥଳୀ । ଲଞ୍ଚ୍‌ ପୂର୍ବରୁ ଅଷ୍ଟ୍ରେଲିୟନ୍ ନ୍ୟାସନାଲ୍‌ ୟୁନିଭର୍ସିଟି ଓ ଲୁନାରିୟା ୱାନ୍‌ର ଗବେଷକମାନେ ସେଠାରେ ଏଭଳି ଚାରା ରୋପଣ କରିବେ, ଯାହା ସେହି ବାୟୁମଣ୍ଡଳରେ ତିଷ୍ଠିପାରିବ । ଏଥିରେ ଅଷ୍ଟ୍ରେଲୀୟ ଘାସ ଟ୍ରିପୋଗନ୍ ଲଲିଫର୍ମିସ୍‌ ସାମିଲ । ଏହାକୁ ରିସ୍ୟୁରେକ୍ସନ୍‌ ଗଛ ବୋଲି କୁହାଯାଏ । ଦୀର୍ଘ ସମୟ ଧରି ନିଷ୍କ୍ରିୟ ଓ ପାଣି ବିନା ରହିବା ପରେ ଏହି ଗଛ ପୁନର୍ବାର ଉଠିବାରେ ସକ୍ଷମ । ଏହାକୁ ଖୁବ୍‌ କମ୍ ପାଣି ଆବଶ୍ୟକ । ଯେଉଁ ଗଛ ଚନ୍ଦ୍ରରେ ତିଷ୍ଠିପାରିବେ, ସେଗୁଡ଼ିକ ମହାକାଶ ଯାତ୍ରୀଙ୍କୁ ଶ୍ୱାସଯୋଗ୍ୟ ଅମ୍ଳଜାନ ଦେଇପାରନ୍ତି । କିଛି ଗଛକୁ ଔଷଧ ପ୍ରସ୍ତୁତିରେ ପ୍ରୟୋଗ କରାଯାଇପାରେ ।

ପୃଥିବୀରେ ଜଳବାୟୁ ପରିବର୍ତ୍ତନର ସାମ୍ନା କିଭଳି କରାଯାଇପାରେ, ତାହା ମଧ୍ୟ ଏଲ୍‌ଇପିଏଚ୍‌-୧ ସାହାଯ୍ୟରେ ଜାଣିହେବ । ଏଥିପାଇଁ ଖାଇବାଯୋଗ୍ୟ ଏଭଳି ବୃକ୍ଷ ପ୍ରଜାତି ଚିହ୍ନଟ କରିବାକୁ ହେବ, ଯାହା ଅତ୍ୟନ୍ତ ବିପରୀତ ବାୟୁମଣ୍ଡଳକୁ ସାମ୍ନା କରିପାରିବ ଏବଂ ମରୁଡ଼ି ସ୍ଥିତି ପରେ ବି ପୁଣି ସହଜରେ ଉଠିପାରିବ । ବର୍ଟ ଓ ତାଙ୍କ ସାଥୀଙ୍କ ଅନୁମାନ ଯେ ବେରେଶିଟ୍‌-୨ର ପ୍ରଥମ ୭୨ ଘଣ୍ଟାରେ ମଞ୍ଜିଗୁଡ଼ିକୁ ପାଣି ଦେବା ପରେ କିଛି ମଞ୍ଜି ଅଙ୍କୁରିତ ହେବ । ଏହି ସମୟରେ ପେଲୋଡ୍ ନିୟମିତ ଭାବେ ପୃଥିବୀକୁ ଉକ୍ତ ପ୍ରୟୋଗର ଚିତ୍ର ପଠାଇବ ।