ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହେଲେ ବ୍ରିଟେନର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ଆଜି ଏହାର ବିଦ୍ଧିବଧ ଘୋଷଣା କରାଯାଇଛି। ସୁନକ ବ୍ରିଟେନର ପ୍ରଥମ ଅଶ୍ଵେତ ଓ ହିନ୍ଦୁ ପ୍ରଧାନମନ୍ତ୍ରୀ ହେବେ। ସେ ଗୀତା ଉପରେ ହାତ ରଖି ଶପଥ ନେବେ।

ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ନେଇ ଭାରତ ସହିତ ପାକିସ୍ତାନରେ ବି ଖୁସିର ଲହରି ଖେଳି ଯାଇଛି। କାରଣ ସୁନକଙ୍କ ଜେଜେ ବାପା ଏବଂ ଜେଜେ ମାଆ ବ୍ରିଟିଶ ଶାସନାଧୀନ ଭାରତରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ତାଙ୍କର ଜନ୍ମ ଗୁଞ୍ଜରାଓ୍ଵାଲାରେ ହୋଇଥିଲା, ଯାହା ବର୍ତ୍ତମାନ ପାକିସ୍ତାନର ପଞ୍ଜାବ ରାଜ୍ୟରେ ଅବସ୍ଥିତ। ଏହି ପ୍ରକାରେ ଏକ ଅଜବ ପ୍ରକାରେ ବ୍ରିଟିଶର ନୂତନ ପ୍ରଧାନମନ୍ତ୍ରୀ ଜଣେ ଭାରତୀୟ ଏବଂ ଜଣେ ପାକିସ୍ତାନୀ। ଋଷିଙ୍କ ଜେଜେବାପା ରାମଦାସ ସୁନକ ୧୯୩୫ରେ ନାଇରୋବିରେ କିରାଣୀ ଚାକିରି ପାଇଁ ଗୁଞ୍ଜରାଓ୍ଵାଲା ଛାଡିଥିଲେ।

ରାମଦାସଙ୍କ ପତ୍ନୀ ସୁହାଗ ରାଣୀ ସୁନକ ୧୯୩୭ରେ କେନିଆ ଯାତ୍ରା କରିବା ପୂର୍ବରୁ ନିଜ ଶାଶୁଙ୍କ ସହିତ ଗୁଞ୍ଜରାଓ୍ଵାଲାରୁ ଦିଲ୍ଲୀ ଚାଲି ଆସିଥିଲେ। ଋଷି ସୁନକଙ୍କ ବାପା-ମାଆ ଭାରତୀୟ। ୧୯୮୦ ମସିହା ମେ ୧୨ରେ ଇଂଲଣ୍ଡର ସାଉଥମ୍ପଟନ୍ ଋଷି ସୁନକଙ୍କ ଜନ୍ମ ହୋଇଥିଲା । ଋଷି ସୁନକଙ୍କ ଜେଜେ ବାପା-ଜେଜେ ମାଆ ଭାରତରୁ ଯାଇ ଆଫ୍ରିକାରେ ବାସ କରିଥିଲେ । ଏହାପରେ ତାଙ୍କ ବାପା ଆଫ୍ରିକାରୁ ଯାଇ ବ୍ରିଟେନରେ ରହିଥିଲେ । ବ୍ରିଟେନରେ ହିଁ ତାଙ୍କ ବାପା-ମାଆଙ୍କ ବିବାହ ହୋଇଥିଲା।

୪୨ ବର୍ଷୀୟ ଋଷି ସୁନକ ଭାରତର ବିଶିଷ୍ଟ ବ୍ୟବସାୟୀ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି । ଋଷି ଏବଂ ଅକ୍ଷତାଙ୍କ ଦୁଇ ଝିଅ କୃଷ୍ଣା ଏବଂ ଅନୁଷ୍କା । ବ୍ରିଟେନରେ ଋଷି ସୁନକ ଜଣେ ଧନୀ ସାଂସଦ ରୂପେ ପରିଚିତ । ତାଙ୍କର ସମ୍ପତ୍ତି ୭୩୦୦ କୋଟି ଟଙ୍କାରୁ ଅଧିକ । ପତ୍ନୀ ଅକ୍ଷତା ତାଙ୍କ ଠାରୁ ବି ବହୁ ଅଧିକ ଧନୀ।

ସେପେଟେ ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ। ଭାରତବାସୀଙ୍କ ମଧ୍ୟରେ ଖେଳିଯାଇଛି ଆନନ୍ଦର ଲହରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସୁନକଙ୍କୁ ଜଣାଇଛନ୍ତି ଶୁଭେଚ୍ଛ।

ଏହାରି ମଧ୍ୟରେ ଇନଫୋସିସ୍ କୋ-ଫାଉଣ୍ଡର ତଥା ଅରବପତି ନାରାୟଣ ମୂର୍ତ୍ତି ଜ୍ବାଇଁ ଋଷି ସୁନକଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ନେଇ ଶୁଭେଚ୍ଛା ଜଣାଇଛନ୍ତି। ସେ ଋଷିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ତାଙ୍କର ସଫଳତା ରେ ଗର୍ବିତ ବୋଲି କହିଛନ୍ତି। ସେ କହିଛନ୍ତି ସୁନକ ନିଶ୍ଚୟ ବ୍ରିଟେନ୍ ଲୋକଙ୍କ ଉନ୍ନତି ପାଇଁ କାମ କରିବେ। ସୂଚନାଯୋଗ୍ୟ, ଋଷି ସୁନକ ନାରାୟଣ ମୂର୍ତ୍ତୀଙ୍କ ଝିଅ ଅକ୍ଷତା ମୂର୍ତ୍ତୀଙ୍କୁ ୨୦୦୯ରେ ବିବାହ କରିଥିଲେ। ଉଭୟଙ୍କର ଦୁଇ ଝିଅ ମଧ୍ୟ ରହିଛନ୍ତି।

ସୂଚନାଯୋଗ୍ୟ, ସୋମବାର ଋଷି ସୁନକଙ୍କୁ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ଘୋଷଣା କରାଯାଇଛି। ତାଙ୍କ ପୂର୍ବରୁ ଲିଜ୍‌ ଟ୍ରସ୍ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବରେ ଥିଲେ। ଅବଶ୍ୟ ସେ ମାତ୍ର ୪୫ ଦିନ ପାଇଁ ଏହି ପଦରେ ରହିପାରିଥିଲେ। ବ୍ରିଟେନରେ ଲାଗିରହିଥିବା ଆର୍ଥିକ ସଙ୍କଟ ଯୋଗୁ ଲିଜ୍ ଟ୍ରସଙ୍କ ଇସ୍ତଫା ଦେବାକୁ ପଡ଼ିଥିଲା।

ଏହା ପୂର୍ବରୁ ବୋରିସ ଜନସନଙ୍କ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ, ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ରହିଥିଲେ ଋଷି । ଋଷି ସୁନକଙ୍କ ନାଁକୁ ନେଇ ଅନୁମାନ କରାଯାଉଥିଲା କିନ୍ତୁ ପରବର୍ତ୍ତୀ ସମୟରେ ୨୦ ହଜାର ଭୋଟରେ ଲିଜ୍ ଟ୍ରସ୍‌ଙ୍କ ଠାରୁ ହାରିଥିଲେ ସୁନକ। କିନ୍ତୁ ଏବେ ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହା ସହ ଲିଜ୍ ବ୍ରିଟେନର ସବୁଠୁ କମ୍ ସମୟ ପାଇଁ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସୁନକଙ୍କ ପାଇଁ ବ୍ରିଟେନ ଆର୍ଥିକ ପରିସ୍ଥିତି ବଡ଼ ଚାଲେଞ୍ଚ ଭାବରେ ରହିଛି। ସୁନକ ବୋରିସ ଜନସନଙ୍କ ସମୟରେ ବ୍ରିଟେନର ଚାନ୍ସଲର ଭାବରେ କାର୍ଯ୍ୟ କରିଥିଲେ।