ଏଣିକି ପୁରୁଷ ଖେଳାଳିଙ୍କ ସହିତ ସମାନ ମ୍ୟାଚ୍‌ ଫି’ ପାଇବେ ମହିଳା କ୍ରିକେଟର

ନୂଆଦିଲ୍ଳୀ : (ସଂକେତ୍ ଟିଭି) ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ପ୍ରଥମ ଥର ପାଇଁ ମହିଳା କ୍ରିକେଟରଙ୍କୁ ପାଉଣାରେ ସମାନତା ଅଧିକାର ମିଳିଛି। ବୋର୍ଡ ଏକ ନୂଆ ନୀତି ଲାଗୁ କରି ଏବେ ମ୍ୟ‌ାଚ୍‌ ପାଇଁ ମହିଳା ଓ ପୁରୁଷଙ୍କ ଫି’ରେ କୌଣସି ପାର୍ଥକ୍ୟ ରହିବ ନାହିଁ ବୋଲି ସୂଚନା ଦେଇଛି। ଏବେ ଉଭୟ ପୁରୁଷ ଓ ମହିଳା କ୍ରିକେଟ୍‌ ଟିମ୍‌ର ଖେଳାଳିଙ୍କୁ ସମାନ ଫି ଦିଆଯିବ। ଏହି ଖବର ବିସିସିଆଇର ସଚିବ ଜୟ ଶାହ ଦେଇଛନ୍ତି।

ଜୟ ଶାହ ଏକ ପୋଷ୍ଟ୍‌ କରି ଲେଖିଛନ୍ତି, ‘ଏହି ସୂଚନା ଦେଇ ଖୁସି ହେଲି ‌ଯେ ପୁରୁଷ ଓ ମହିଳା ମଧ୍ୟରେ ଥିବା ଭେଦଭାବକୁ ଦୂର କରିବାକୁ ବିସିସିଆଇ ଏକ ନିଷ୍ପତ୍ତି ନେଇଛି। ଆମେ ଆମର ଅନୁବନ୍ଧିତ ମହିଳାଙ୍କ ପାଇଁ ବେତନ ଇକୁଇଟି ପଲିସି ଲାଗୁ କରୁଛୁ। ପୁରୁଷଙ୍କ ପରି ମହିଳା କ୍ରିକେଟରଙ୍କୁ ଟେଷ୍ଟ ପାଇଁ ୧୫ ଲକ୍ଷ, ଦିନିକିଆ ପାଇଁ ୬ ଲକ୍ଷ ଓ ଟି-୨୦ ପାଇଁ ୩ ଲକ୍ଷ ଟଙ୍କା ମିଳିବ।”

ବିସିସିଆଇ ଏଜିଏମରେ ନିଷ୍ପତ୍ତି ନିଆଯିବାର କିଛି ଦିନ ପରେ ଏହି ପେ ଇକ୍ୟୁଟିଂ ପଲିସି ଘୋଷଣା କରାଯାଇଛି। ୨୦୧୭ ମହିଳା ବିଶ୍ୱକପରେ ଭାରତୀୟ ଦଳ ରନର୍ସଅପ୍ ହେବା ପରଠାରୁ ବିସିସିଆଇ ମହିଳା କ୍ରିକେଟ୍ ପ୍ରତି ଆଗ୍ରହ ଦେଖାଇଛି। ଏହା ପରେ ଦଳ ୨୦୨୦ରେ ଟି-୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଥିଲା। ୨୦୨୨ କମନୱେଲଥ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ ଦଳ ରୌପ୍ୟ ପଦକ ଜିତିଛି। ୨୦୨୩ରେ ମହିଳା ଦଳ ପ୍ରଥମ ଆଇପିଏଲ ସିଜିନ ଖେଳିବ। ଭାରତ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ପେ ଇକ୍ୟୁଟିଂ ପଲିସି ଘୋଷଣା କରିଛି।

ସୂଚନାନୁସାରେ, ଟିମ୍ ଇଣ୍ଡିଆର ବରିଷ୍ଠ ମହିଳା କ୍ରିକେଟରଙ୍କୁ ମ୍ୟାଚ ପିଛା ମାତ୍ର ୨୦ ହଜାର ଟଙ୍କା ମିଳୁଥିଲା। ଏହା ୧୯ ବର୍ଷରୁ କମ୍ ପୁରୁଷ କ୍ରିକେଟରଙ୍କ ସହ ସମାନ। କିନ୍ତୁ ସେହି ସମାନ ମ୍ୟାଚ ପାଇଁ ବରିଷ୍ଠ ପୁରୁଷ ଦଳକୁ ୬୦ ହଜାର ଟଙ୍କା ପାଉଣା ମିଳୁଛି। ଫଳରେ ପୁରୁଷ ଓ ମହିଳା କ୍ରିକେଟରଙ୍କ ମ୍ୟାଚ ଫି’ରେ ଏକ ବଡ ପାର୍ଥକ୍ୟ ଥିଲା। ଯହା ବର୍ତ୍ତମାନ ଦୂର ହୋଇଯାଇଛି। ୨୦୨୨ ପୂର୍ବରୁ ଭାରତର ମହିଳା କ୍ରିକେଟରଙ୍କୁ ମ୍ୟାଚ ପିଛା ମାତ୍ର ୧୨୫୦୦ ଟଙ୍କା ଦିଆଯାଉଥିଲା।