ବାଲେଶ୍ବରରୁ ଜବତ ହେଲା ୧୧କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗର, ୬ ଗିରଫ

ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ବର ସହଦେବଖୁଣ୍ଟା ଥାନା ପୋଲିସ ଫୁଲାଡ଼ି ଅଞ୍ଚଳରୁ ୧୧କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ କରିଛି । ଏହି ବ୍ରାଉନସୁଗାର କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ୬ଜଣଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଥିବା ଆୟୁବ ମଧ୍ୟପ୍ରଦେଶର ହୋଇଥିବା ବେଳେ ଶେଖ ହୁସେନ, ଶେଖ ସଫିକ, ଶେଖ ରାଜୁ, ଶେଖ ସମୀର ଓ ରିଂଟୁ ତରେଇ ଅରଡ଼ ବଜାର ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି ।

ସୂଚନା ଅନୁସାରେ, ଫୁଲାଡି ଅଞ୍ଚଳରେ ବ୍ରାଉନସୁଗର ଡିଲ ଚାଲିଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ସେଠାରେ ପୋଲିସ ମଧ୍ୟପ୍ରଦେଶର ଜଣେ କିଙ୍ଗପିନ ସମେତ ୬ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୦କିଲୋ ୬୦୦ ଗ୍ରାମର ବ୍ରାଉନସୁଗର, ଦୁଇଟି ମଟର ସାଇକେଲ, ୫ଟି ମୋବାଇଲ ଫୋନ, ଆଧାର କାର୍ଡ ଓ ନଗଦ ୨୧ ହଜାର ଟଙ୍କା ଜବତ କରାଯାଇଛି । ଏହି ବ୍ରାଉନସୁଗର ପଶ୍ଚିମବଙ୍ଗ ଓ ଆସାମର ସୀମାନ୍ତ ଅଂଚଳରୁ ଅଣାଯାଇ ଓଡିଶାର ବିଭିନ୍ନ ଅଂଚଳକୁ ଚାଲାଣ କରାଯିବା ପାଇଁ ଯୋଜନା ରହିଥିଲା ବୋଲି ପୋଲିସ କହିଛି ।