ନିଜେ ବିମାନ ଉଡ଼ାଇ ବିଶ୍ୱ ଭ୍ରମଣ କରୁଛନ୍ତି ଇଆନ ପରିବାର

ନୂଆଦିଲ୍ଳୀ : (ସଂକେତ୍ ଟିଭି) ୧୪ ମାସର ବିଶ୍ୱ ଭ୍ରମଣରେ ବାହାରିଛନ୍ତି ଇଆନ ପରିବାର । ପାଞ୍ଚ ସଦସ୍ୟ ବିଶିଷ୍ଟ ଏହି ପରିବାରର ସଦସ୍ୟମାନେ ନିଜେ ବିମାନ ଉଡ଼ାଇ ଏହି ରୋମାଞ୍ଚକ ଯାତ୍ରାରେ ବାହାରିଛନ୍ତି । ଏକ ଇଂଜିନ୍ ବିଶିଷ୍ଟ ବିମାନରେ ଯାତ୍ରା କରୁଥିବା ହେତୁ ସେମାନେ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ସହିତ ଯାତ୍ରା କରୁଛନ୍ତି ।

ସୂଚନାନୁଯାୟୀ, ଜୁନ୍ ମାସରେ ଯାତ୍ରା ଆରମ୍ଭ କରି ଏପର୍ଯ୍ୟନ୍ତ ପରିବାର ବାହାମାସ୍‌, ଡୋମିନିକାନ୍‌ ରିପବ୍ଲିକ୍‌, ଆମେରିକାର ଭର୍ଜିନ ଦ୍ୱୀପପୁଞ୍ଜ ଏବଂ ଆର୍ଜେଣ୍ଟିନା ଭ୍ରମଣ କରିସାରିଛନ୍ତି । ୫୯ ବର୍ଷୀୟ ଇଆନଙ୍କ ସହ ତାଙ୍କ ପତ୍ନୀ ମିସେଲ(୫୮) ଏବଂ ତିନି ସନ୍ତାନ ସାମନ୍ଥା(୨୧), ସିଡନୀ(୧୮), ଖ୍ରୀଷ୍ଟୋଫର୍ (୧୫) ବିମାନରେ ଯାତ୍ରା କରୁଛନ୍ତି । ସେମାନେ ଏପର୍ଯ୍ୟନ୍ତ ୨୭ହଜାର କିଲୋମିଟର ଯାତ୍ରା କରିସାରିଛନ୍ତି । ଏଥିସହିତ ବିମାନଟି ୧୨ଟି ଦେଶରେ ବିମାନ ଅବତରଣ କରାଇ ସାରିଛନ୍ତି ।

କାନାଡାର ଇୟାନ୍‌ ଜଣେ ରିଏଲ୍ ଇଷ୍ଟେଟ୍ ଡେଭଲପର । ଖବର ସରବରାହ ସଂସ୍ଥା ସ୍ୱିନ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ପରିବାରର ଯାତ୍ରା ଭିଡିଓକୁ ଅପଲୋଡ୍ କରିଛି । ଭିଡିଓରେ ଦେଖାଯାଉଛି ଯେ, ଇୟାନ୍ ବିମାନ ଉଡ଼ାଇବା ସହ ତାଙ୍କ ଝିଅ ମଧ୍ୟ ବିମାନ ଉଡ଼ାଉଛି । ଏଥିସହିତ ଏହି ପରିବାର ରୋମାଞ୍ଚକ ଯାତ୍ରାକୁ ଟିକଟକରେ ପୋଷ୍ଟ କରିଛନ୍ତି । ଭିଡିଓରେ, ଇୟାନଙ୍କ ପରିବାର ମଧ୍ୟ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରୁଛନ୍ତି ।

ଯାତ୍ରା ସମୟରେ ସେମାନେ ଅନେକ ସ୍ଥାନରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଆର୍ଜେଣ୍ଟିନାରେ ସେମାନେ ଏପରି ଏକ ଏୟାରଷ୍ଟ୍ରିପରେ ଅବତରଣ କରିଥିଲେ, ଯାହା କାଦୁଅରେ ଭର୍ତ୍ତି ଥିଲା । ଯେହେତୁ ଇୟାନ୍ ଏକ ଇଂଜିନ୍ ବିଶିଷ୍ଟ ବିମାନରେ ଯାତ୍ରା କରୁଛନ୍ତି ତେଣୁ ସୁରକ୍ଷା ଲାଗି ଜଙ୍ଗଲ ସର୍ଭାଇଭାଲ୍ ବଟନ୍‌, ପର୍ସନାଲ୍‌ ଲୋକେଟର୍ ବିକନ୍ ଆଦି ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଉପକରଣ ସାଥିରେ ନେଇଛନ୍ତି ।

ପରିବାର ମଧ୍ୟ ଆର୍ଜେଣ୍ଟିନାର ଇଗୁଆଜୁ ଜଳପ୍ରପାତ ପରିଦର୍ଶନ କରିଥିଲେ । ଏଠାରେ ସମୁଦାୟ ୨୭୫ଟି ଜଳପ୍ରପାତ ଅଛି । ଭିଡିଓ ମାଧ୍ୟମରେ ପରିବାରର ସଦସ୍ୟ ଏହା ମଧ୍ୟ କହିଛନ୍ତି ଯେ, ବିମାନ ଉଡ଼ାଣ ବେଳେ ପାଣିପାଗର ପରିବର୍ତ୍ତନ ହେତୁ ବହୁ ଅସୁବିଧାର ସାମ୍ନା ସେମାନେ କରିଛନ୍ତି । ତଥାପି ଯାତ୍ରା ଜାରି ରହିଛି ।