ଗୁଜୁରାଟରେ ଓଲଟପାଲଟ, କଂଗ୍ରେସରେ ଯୋଗ ଦେଲେ ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଅହମଦାବାଦ : (ସଂକେତ୍ ଟିଭି) ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲାଙ୍କ ପୁଅ ମହେନ୍ଦ୍ର ସିଂହ ବାଘେଲା ଶୁକ୍ରବାର କଂଗ୍ରେସରେ ଯୋଗ ଦେଇ ବିଜେପିକୁ ଜୋରଦାର ଝଟକା ଦେଇଛନ୍ତି । ମହେନ୍ଦ୍ର କଂଗ୍ରେସ କାର୍ଯ୍ୟାଳୟରେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି।

ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଏପର୍ଯ୍ୟନ୍ତ ତାରିଖ ଘୋଷଣା କରି ନାହାନ୍ତି। ତେବେ ରାଜନୈତିକ ଦଳମାନେ ନିଜ ନିଜ ପାର୍ଟିର ପ୍ରଚାର ପ୍ରସାରରେ ଲାଗିପଡିଲେଣି। ଏହା ସହ ରାଜ୍ୟ ରାଜନୀତିରେ ଦଳବଦଳ ମଧ୍ୟ ଆରମ୍ଭ ହୋଇଯାଇଛି। ଏହିକ୍ରମରେ ମହେନ୍ଦ୍ର ସିଂହ ବାଘେଲା ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି।

ମହେନ୍ଦ୍ର ସିଂହ ବାଘେଲା ପୂର୍ବରୁ କଂଗ୍ରେସରେ ଥିଲେ। ତେବେ ୩ ମାସ ପୂର୍ବେ ସେ ବିଜେପିରେ ଯୋଗ ଦେଇଥିବା ବେଳେ ଅଚାନକ କଂଗ୍ରେସକୁ ଫେରିବାକୁ ନିଷ୍ପତ୍ତି ନେବା ସହ ପାର୍ଟି କାର୍ଯ୍ୟାଳୟକୁ ଯାଇ ପୁଣି ଦଳୀୟ ସଦସ୍ୟତା ଗ୍ରହଣ କରିଛନ୍ତି। ଏ ନେଇ ମହେନ୍ଦ୍ର ସିଂହ ତାଙ୍କ ଇସ୍ତଫା ପତ୍ର ଗୁରୁବାର ରାଜ୍ୟ ବିଜେପି ମୁଖ୍ୟ ଜିତୁ ଭାଗାନୀଙ୍କୁ ପଠାଇ ଦେଇଥିଲେ। ଇସ୍ତଫା ପତ୍ରରେ ସେ ବ୍ୟକ୍ତିଗତ କାରଣ ଯୋଗୁ ଦଳରୁ ଇସ୍ତଫା ଦେଇଥିବା ସୂଚିତ କରିଛନ୍ତି। ଉତ୍ତର ଗୁଜରାଟ ବାୟାଦ ଆସନରୁ ବିଧାନସଭାକୁ ପ୍ରତିନିଧିତ୍ୱ କରୁଥିବା ମହେନ୍ଦ୍ର ସିଂହ ଗତ ୨୦୧୭ ବିଧାନସଭା ନିର୍ବାଚନ ଲଢି ନଥିଲେ। ତେବେ ଆଗକୁ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ସେ ଗତ ଜୁଲାଇ ମାସରେ ବିଜେପିରେ ଯୋଗ ଦେଇଥିଲେ।