ହାଇସିକ୍ୟୁରିଟି ରେଜିଷ୍ଟ୍ରସନ ପ୍ଲେଟ ଲଗାଇବା ନେଇ ଅବଧି ବଢ଼ିଲା

ଭୁବନେଶ୍ୱର : (ସଂକେତ୍ ଟିଭି) ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ (ଏଚ୍‌ଏସ୍‌ଆରପି) ଅବଧି ପୁଣି ଥରେ ବଢ଼ିଛି। ରାଜ୍ୟ ସରକାର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଗାଡ଼ି ନମ୍ୱର ଶେଷରେ ୧, ୨, ୩, ୪ ଥିଲେ ଶେଷ ତାରିଖ ନଭେମ୍ବର ୩୦କୁ ବୃଦ୍ଧି କରାଯାଇଛି । ସେହିପରି ୫, ୬ ନମ୍ବର ପାଇଁ ଶେଷ ତାରିଖ ଡିସେମ୍ବର ୩୧ ରଖାଯାଇଛି । ୭, ୮ ଥିଲେ ୨୦୨୩ ଜାନୁଆରି ୩୧ ଶେଷ ତାରିଖ ଏବଂ ୯ ଓ ୦ ଥିଲେ ଶେଷ ତାରିଖ ୨୦୨୩ ଫେବୃଆରି ୨୮ ତାରଖକୁ ଅବଧି ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି ।

ସୂଚନାଯୋଗ୍ୟ, ପରିବହନର ବିଭାଗର ପ୍ରଥମ ନିଷ୍ପତ୍ତି ଅନୁସାରେ ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଯାନବାହନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏନେଇ ଗତ ଜୁନ୍‌ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ଅନୁସାରେ ଯେଉଁ ବାହନର ପଂଜୀକରଣ ନମ୍ବରର ‌ଶେଷ ଅଙ୍କ ୧ ଅଥବା ୨ ହୋଇଥିବ, ସେଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଲାଗିବା କଥା। କିନ୍ତୁ ଏହା ହୋଇ ନ ପାରିବାରୁ ସରକାର ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ। ମାତ୍ର ୨୦୨୨ ଅକ୍ଟୋବର ୩୧ ତାରିଖ ସୁଦ୍ଧା ନମ୍ବର ପ୍ଲେଟର ୧ ଓ ୨ ଅଙ୍କ ଥିବା ଯାନବାହନର ହାଇ ସିକ୍ୟୁରିଟି ନମ୍ବର ଲାଗି ନ ପାରିବାରୁ ଏବେ ସରକାର ପୁଣି ଥରେ ଏକ ମାସ ସମୟ ଦେଇଛନ୍ତି।

ଗାଡ଼ିମାଲିକମାନେ ବର୍ତ୍ତମାନ ହାଇ ସିକ୍ୟୁରିଟି ନମ୍ବର ପାଇଁ ନିକଟସ୍ଥ ମୋ ସେବା କେନ୍ଦ୍ରରୁ ମଧ୍ୟ ଆବେଦନ କରି ପାରିବେ। ଏହି ବ୍ୟବସ୍ଥା ରାଜ୍ୟର ୩୦ଟି ଜିଲ୍ଲାରେ ଉପଲବ୍ଧ ରହିଛି। ସେହିପରି ଯାନବାହନ ମାଲିକଙ୍କ ସୁବିଧା ପାଇଁ, ଏଚ୍‌ଏସ୍‌ଆରପି ହେଲ୍ପ ଡେସ୍କ ବର୍ତ୍ତମାନ ରାଜ୍ୟର ସମସ୍ତ ଆରଟିଓ ଓ ଏଆରଟିଓରେ କାର୍ଯ୍ୟକ୍ଷମ ଅଛି।