ରାଜ୍ୟର ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : (ସଂକେତ୍ ଟିଭି) ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ପ୍ରଶାସନର ୨ଜଣ ବରିଷ୍ଠ ଆଇଏଏସ୍ ଜିଭିଭି ଶର୍ମା ଓ ମଧୁସୂଦନ ପାଢୀ ଚଳିତ ମାସ ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେବାକୁ ଯାଉଛନ୍ତି। ଅନୁରୂପ ଭାବେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା କେନ୍ଦ୍ରୀୟ ଡେପୁଟେସନରେ ଯାଉଛନ୍ତି। ରାଜ୍ୟ ପ୍ରଶାସନ ତାଙ୍କୁ ଶନିବାର ଦାୟିତ୍ୱ ମୁକ୍ତ କରିସାରିଛି। ଏହି ପରିପ୍ରେକ୍ଷୀରେ କାର୍ଯ୍ୟରତ ୬ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବା କୁହାଯାଉଛି।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୭ ବ୍ୟାଚ୍ ଆଇଏଏସ୍ ତଥା ଜିଏଏ ଡିଜି ଆରକେ ଶର୍ମାଙ୍କୁ କଟକସ୍ଥିତ ରାଜସ୍ୱ ପର୍ଷଦର ସଦସ୍ୟ ଭାବେ ନୂତନ ଦାୟିତ୍ୱ ଦିଆଯାଇଛି। ଶ୍ରୀ ଶର୍ମା ଅତିରିକ୍ତ ଭାବେ ଜିଏଏ ଡିଜି ଦାୟିତ୍ୱ ମଧ୍ୟ ତୁଲାଇବେ। ଜିଭିଭି ଶର୍ମା ୩୧ତାରିଖରେ ଅବସର ନେବାପରେ ଶ୍ରୀ ଶର୍ମା ରାଜସ୍ୱ ପର୍ଷଦର ସଦସ୍ୟ ଭାବେ କାର୍ଯ୍ୟ କରିବେ। ୧୯୮୯ ବ୍ୟାଚ୍ ଆଇଏଏସ୍ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ କୃଷି ଉତ୍ପାଦନ କମିଶନର(ଏପିସି) ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି। ଶ୍ରୀ ଜେନା ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମା ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ। ୧୯୯୧ ବ୍ୟାଚ୍ ଆଇଏଏସ୍ ତଥା ରାଜସ୍ୱ ସଚିବ ସତ୍ୟବ୍ରତ ସାହୁଙ୍କୁ ଅତିରିକ୍ତ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ୱ ନ୍ୟସ୍ତ ହୋଇଛି। ୩୧ତାରିଖରେ ମଧୁସୂଦନ ପାଢୀ ଅବସର ନେବା ପରେ ସେ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ।