ବିଶ୍ବ ଦୀର୍ଘତମ ଯାତ୍ରୀବାହୀ ଟ୍ରେନ୍‌ ଚଳାଇ ରେକର୍ଡ କଲା ସ୍ବିଜର୍‌ଲାଣ୍ଡ୍‌

ଜିନିଭା : (ସଂକେତ୍ ଟିଭି) ସ୍ବିଜର୍‌ଲାଣ୍ଡ୍‌ର ଏକ କମ୍ପାନି ଆଲ୍‌ପ୍‌ସ୍‌ ପର୍ବତମାଳା ମଧ୍ୟ ଦେଇ ପଡ଼ିଥିବା ଅନ୍ୟତମ ଚିତାକର୍ଷକ ରେଳପଥରେ ବିଶ୍ବର ଦୀର୍ଘତମ ଯାତ୍ରୀବାହୀ ଟ୍ରେନ୍‌ ଚଳାଇ ବିଶ୍ବ ରେକର୍ଡ କରିଛି। ପ୍ରେଡାରୁ ବର୍ଗୁନ୍‌କୁ ପଡ଼ିଥିବା ଆଲ୍‌ବୁଲା/ବର୍ଣ୍ଣିନା ରେଳପଥରେ ରିଆଟେନ୍‌ ରେଲ୍‌ୱେ କମ୍ପାନି ୧୦୦ଟି କୋଚ୍‌ ଲାଗିଥିବା ୧.୯ କିଲୋମିଟର୍‌ ଲମ୍ବବିଶିଷ୍ଟ ଟ୍ରେନ୍‌ ଶନିବାର ଚଳାଇଥିଲା।

ଏହି ରେଳପଥରେ ‘ଲ୍ୟାଣ୍ଡ୍‌ୱାସର୍‌ ବାଇଡକ୍ଟ୍‌’ ସମେତ ୨୨ଟି ସୁଡ଼ଙ୍ଗ (ସେଥିରୁ କେତୋଟି ସୁଡ଼ଙ୍ଗ ଚକ୍ରାକାରେ ପର୍ବତ ଉପରକୁ ଉଠିଛି) ଏବଂ ୪୮ଟି ସେତୁ ରହିଛି । ଏହି ରେଳପଥ ୨୦୦୮ରେ ‘ୟୁନେସ୍କୋ ବିଶ୍ବ ଐତିହ୍ୟ’ ମାନ୍ୟତା ପାଇଛି।

ଗତକାଲିର ଏହି ରେଳଯାତ୍ରା ପାଇଁ ୧ ଘଣ୍ଟାରୁ ସାମାନ୍ୟ ଅଧିକ ସମୟ ଲାଗିଥିଲା। ଉକ୍ତର ଟ୍ରେନ୍‌ର ୨୫ଟି ସେକ୍ସନ୍‌ ଆଲ୍‌ପ୍‌ସ୍‌ ପର୍ବତମାଳା ମଧ୍ୟ ଦେଇ ପ୍ରାୟ ୨୫ କିଲୋମିଟର୍‌ ଯାତ୍ରା କରିବାର ଦୃଶ୍ୟ ଉପଭୋଗ କରିବାକୁ ରେଳପ୍ରେମୀମାନେ ଉପତ୍ୟକା ପାଖେ ପାଖେ ହାଜର ହୋଇଥିଲେ। ଏଥିରେ ୧୫୦ଜଣ ଯାତ୍ରୀ ଯାତ୍ରା କରିଥିବା ବେଳେ ଯାତ୍ରା ଦେଖିବାକୁ ୩୦୦୦ ଲୋକ ଆସିଥିଲେ।

ରିଆଟେନ୍‌ ରେଲ୍‌ୱେର ନିର୍ଦେଶକ ରିନାଟୋ ଫେସିଆତି କହିଛନ୍ତି, ସ୍ବିଜର୍‌ଲାଣ୍ଡ୍‌ର କେତେକ ଇଞ୍ଜିନିୟରିଙ୍ଗ୍‌ କୃତ୍ବିତ୍ବ ଦର୍ଶାଇବା ଏବଂ ‘ସ୍ବିସ୍ ରେଲ୍‌ୱେଜ୍‌’ର ୧୭୫ତମ ବାର୍ଷିକୀ ପାଳନ ଉଦ୍ଦେଶ୍ୟରେ ଏଭଳି ରେକର୍ଡ ଉଦ୍ୟମ କରାଯାଇଛି। ଏହି ବିଶ୍ବ ରେକର୍ଡକୁ ‘ଗିନିଜ୍‌ ୱାର୍ଲଡ୍‌ ରେକର୍ଡସ୍‌’ ତା’ର ୱେବ୍‌ସାଇଟ୍‌ରେ ଔପଚାରିକ ଭାବେ ସ୍ବୀକୃତି ଦେଇଛି ବୋଲି ସେ କହିଛନ୍ତି।