କୋହଲିଙ୍କ ହୋଟେଲ ରୁମ୍ ଦୃଶ୍ୟ ଭାଇରାଲ

ପର୍ଥ : (ସଂକେତ୍ ଟିଭି) ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳୁଥିବା ବେଳେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ତାଙ୍କ ହୋଟେଲ ରୁମ ଭିତରର ବ୍ୟକ୍ତିଗତ ଦୃଶ୍ୟ ଭିଡିଓ କରାଯିବା ସହ ସୋସିଆଲ ମିଡ଼ିଆରେ ଭାଇରାଲ ଘଟଣାକୁ କୋହଲି ନିନ୍ଦା କରିଛନ୍ତି । ସେହିପରି ତାଙ୍କ ବିନା ଅନୁମତିରେ ଓ ସେ ହୋଟେଲ ରୁମରେ ନଥିବା ବେଳେ ସମ୍ପୃକ୍ତ ହୋଟେଲର ଜନୈକ କର୍ମଚାରୀ ଭିଡିଓ ଶୁଟିଂ କରିଥିବାରୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ବିରାଟ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ନିଜର ଅସନ୍ତୋଷ ପ୍ରକାଶ କରି ବ୍ୟକ୍ତିଗତ ଗୋପନୀୟତା ଓ ସୁରକ୍ଷାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ବିରାଟ ପର୍ଥର ଯେଉଁ ହୋଟେଲରେ ରହୁଛନ୍ତି, ସେଠାକାର ଜଣେ କର୍ମଚାରୀ ହିଁ ଭିଡିଓକୁ ଶୁଟିଂ କରି ସେ ସୋଶାଲ ମିଡିଆରେ ଏହାକୁ ପୋଷ୍ଟ କରିଥିବା ବେଳେ ବିରାଟ ଏହାକୁ ନିଜ ଇନଷ୍ଟାଗ୍ରାମରେ ଛାଡ଼ିଛନ୍ତି । ବିରାଟ ଭିଡିଓ ସହ ନିଜର ଗୋପନୀୟତାକୁ ନେଇ ଗୋଟିଏ ଲେଖା ବି ପୋଷ୍ଟ କରିଛନ୍ତି ।

କୋହଲି କହିଛନ୍ତି ଯେ ମୁଁ ବୁଝିପାରୁଛି ଯେ ଫ୍ୟାନ୍ସ ନିଜ ପସନ୍ଦର ଖେଳାଳିଙ୍କୁ ଦେଖି ବେଶ ଖୁସି ଓ ଉତ୍ସାହିତ ହୋଇଯାଆନ୍ତି । ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରନ୍ତି । ଏହାକୁ ମୁଁ ସବୁବେଳେ ବେଶ ଖୁସିର ସହ ଗ୍ରହଣ କରେ । ମାତ୍ର ଏପରି ଭିଡ଼ିଓ ଭୟ ସୃଷ୍ଟି କରିଛି । ହୋଟେଲ ରୁମରେ ଯଦି ମୋତେ ଗୋପନୀୟତା ମିଳିବ ନାହିଁ, ତା’ହେଲେ ମୁଁ କେଉଁଠି ଓ କେମିତି ବ୍ୟକ୍ତିଗତ ସ୍ଥାନ ପାଇବି । ତେଣୁ ଏହି ଘଟଣା ନେଇ ମୁଁ ଆଦୌ ସନ୍ତୁଷ୍ଟ ନୁହେଁ । ଏହା ସଂପୂର୍ଣ୍ଣ ବ୍ୟକ୍ତିଗତ ଗୋପନୀୟତାରେ ଅନୁପ୍ରବେଶ । ଦୟା କରି ଲୋକଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ କରନ୍ତୁ । ଏହାକୁ ମନୋରଞ୍ଜନର ସାମଗ୍ରୀ ଭାବେ ବ୍ୟବହାର କରନ୍ତୁ ନାହିଁ ।

ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଏପରି ଭିଡିଓ ଶୁଟିଂକୁ କଡ଼ା ବିରୋଧ କରିଛନ୍ତି । ଭିଡିଓ ଦେଖି ଅନେକ ଲୋକ ବିରାଟଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।
ଅଷ୍ଟ୍ରେଲିଆ କ୍ରିକେଟର ଡାଭିଡ ୱାର୍ଣ୍ଣର ଏହାକୁ ନିନ୍ଦା କରିଛନ୍ତି । ସାମ୍ନାକୁ ଆସିଥିବା ଭିଡିଓର ଉପରେ ଲେଖାଯାଇଛି । ଜଣେ ବ୍ୟକ୍ତି ପୂରା ରୁମ ଭିତରେ
ବୁଲିବୁଲି ବିରାଟଙ୍କ ବିଭିନ୍ନ ଜିନିଷକୁ ରେକର୍ଡ କରିଛନ୍ତି । ବିରାଟ ବ୍ୟବହାର କରୁଥିବା ସ୍ୱାସ୍ଥ୍ୟ ଜନିତ ଜିନିଷ, ବିଭିନ୍ନ ଜୋତା, ଭାରତୀୟ ଜର୍ସି ଓ ଗ୍ଲୋବ୍ସ ଏବଂ ଟେବୁଲ ଉପରେ ରଖାଯାଇଥିବା ଚଷମା ଏବଂ କ୍ୟାପ୍‌ଗୁଡ଼ିକୁ ଦେଖିବାକୁ ମିଳୁଛି ।

ବିରାଟ ରୁମରେ ନଥିବା ବେଳେ ଏକାଧିକ କର୍ମଚାରୀ ଏପରି କରିଥିବା କୁହାଯାଉଛି । ବିରାଟ କୋହଲିଙ୍କ ହୋଟେଲ ରୁମ୍‌ ଭିଡିଓ ଭାଇରାଲ କରିବା ଘଟଣାରେ କ୍ଷମା ପ୍ରାର୍ଥନା କରିଛି ହୋଟେଲ କ୍ରାଉନ୍ । ହୋଟେଲ କର୍ତ୍ତୃପକ୍ଷ କହିଛନ୍ତି, ‘ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଛି । କ୍ରାଉନ୍ କମ୍ପାନୀର ପ୍ରବକ୍ତା କହିଛନ୍ତି, ଏହି ଘଟଣାରେ ଆମେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ ।ଏହା ନିଶ୍ଚିତ କରୁଛି କି ଘଟଣାକୁ ନେଇ ଉଚିତ ପଦକ୍ଷେପ ନିଆଯାଉଛି । ଆମ ଟିମ୍ ସଦସ୍ୟ ଓ
କଣ୍ଟାଟରଙ୍କ ପାଇଁ କାମର ଯେଉଁ ଷ୍ଟାଣ୍ଡର୍ଡ କୋଡ ବନାଇଛୁ, ଏହା ତାହାକୁ ପାଳନ କରୁନାହିଁ । ଏହି ଘଟଣାକୁ ନେଇ ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛୁ । ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କ୍ରାଉନ୍ କମ୍ପାନୀରୁ ହଟାଇ ଦିଆଯାଇଛି । ଆଗାମୀ ସମୟରେ ଯେପରି ଏହି ପ୍ରକାର ତୃଟି ହେବ ନାହିଁ ସେଥିପାଇଁ ଆବଶ୍ୟକ
ପଦକ୍ଷେପ ନେବୁ ବୋଲି ହୋଟେଲ କର୍ତ୍ତୃପକ୍ଷ କହିଛନ୍ତି ।