ଘଣ୍ଟା ନିର୍ମାଣ କରୁଥିବା କମ୍ପାନୀକୁ ମିଳିଥିଲା ମୋରବି ପୋଲ ମରାମତି କାମ, ବିରୋଧି କଲେ ଟାର୍ଗେଟ

ନୂଆଦିଲ୍ଲୀ: (ସଂକେତ୍ ଟିଭି): ସିଏଫଏଲ, କାନ୍ଥ ଘଣ୍ଟା ଏବଂ ଇ-ବାଇକ ନିର୍ମାଣ କରୁଥିବା ଓରେଭା ଗ୍ରୁପକୁ ମିଳିଥିଲା ମୋରବି ପୋଲ ମରାମତି କାମ । ୧୦୦ ବର୍ଷରୁ ଅଧିକ ପୁରୁଣା ପୋଲର ମରାମତି ପାଇଁ ଏହି କମ୍ପାନିକୁ କିପରି ଠିକା ମିଳିଲା ତାକୁ ନେଇ ପ୍ରଶ୍ନ ଉଠିଛି ? ଗୁଜରାଟର ମୋରବି ସହରରେ ପୋଲ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢି ୧୩୫ ହୋଇଛି।

ପ୍ରାୟ ୫ ଦଶନ୍ଧି ପୂର୍ବେ ଓଧାବଜୀ ରାଘବଜୀ ପଟେଲଙ୍କ ଦ୍ୱାରା ପ୍ରତିଷ୍ଠିତି କମ୍ପାନି ଅଜନ୍ତା ଏବଂ ଓରପେଟ ବ୍ରାଣ୍ଡ ଅଧିନରେ କାନ୍ଥ ଘଣ୍ଟା ନିର୍ମାଣ କରୁଛି । ୮୮ ବର୍ଷ ବୟସରେ ପଟେଲଙ୍କ ଚଳିତ ମାସ ଆରମ୍ଭରେ ନିଧନ ହୋଇଥିଲା । ୧୯୭୧ ମସିହାରେ ୪୫ ବର୍ଷ ବୟସରେ ସେ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଏକ ସ୍କୁଲରେ ବିଜ୍ଞାନ ଶିକ୍ଷକ ଥିଲେ । ପ୍ରାୟ ୮୦୦ କୋଟି ଟଙ୍କାର ଆୟ କରୁଥିବା ଅଜନ୍ତା ଗ୍ରୁପ ଏବେ ଘରୋଇ ଏବଂ ବିଜୁଳି ଉପକରଣ, ବିଜୁଳି ଲାମ୍ପ, କାଲକୁଲେଟର ଏବଂ ଇ-ବାଇକ ନିର୍ମାଣ କରୁଛି ।

ମାଚ୍ଛୁ ନଦୀ ଉପରେ ନିର୍ମାଣ ହୋଇଥିବା ଏହି ପୋଲ ସାତ ମାସ ପୂର୍ବେ ମରାମତି ପାଇଁ ବନ୍ଦ କରାଯାଇଥିଲା । ପରେ ଅକ୍ଟୋବର ୨୬ରେ ଗୁଜରାଟ ନୂଆ ବର୍ଷ ସମୟରେ ଏହାକୁ ଖୋଲା ଯାଇଥିଲା । ଚଳିତ ବର୍ଷ ମାର୍ଚ୍ଚରେ ଓରେଭା ଗ୍ରୁପ ମୋରବି ନଗର ନିଗମ ଠାରୁ ପୋଲର ମରାମତି ପାଇଁ ଟେଣ୍ଡର ପାଇଥିଲା । ଅଭିଯୋଗ ଏହା ମଧ୍ୟ ଯେ, ବିନା ଫିଟନେସ ପ୍ରମାଣପତ୍ରରେ ବ୍ରିଜକୁ ଖୋଲାଯାଇଥିଲା ।

ଅଜନ୍ତା ଟ୍ରାଞ୍ଜିଷ୍ଟର କ୍ଲକ୍ ମେନ୍ୟୁଫେକ୍ଚରିଂ ଅଧିନରେ କାନ୍ଥ ଘଣ୍ଟା ନିର୍ମାଣରୁ ଆରମ୍ଭ ହୋଇଥିବା ଓରେଭା ଗ୍ରୁପ ଅନେକ ସେକ୍ଟରରେ ବ୍ୟବସାୟ କରୁଛି । କମ୍ପାନିରେ ୬ ହଜାର କର୍ମଚାରୀ କାମ କରୁଥିବା ଗ୍ରୁପ ନିଜ ୱେବସାଇଟରେ ଦାବି କରିଛି । ତେବେ ଏଥିରେ ନିଜ କାରବାର ବାବଦରେ କମ୍ପାନି କୌଣସି ସୂଚନା ଦେଇ ନାହିଁ ।

ସେପଟେ ଏହି ଘଟଣାର ନ୍ୟାୟିକ ଜାଂଚ ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି । ସେପଟେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସିଧାସଳଖ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ଘଣ୍ଟା ତିଆରି କମ୍ପାନୀକୁ କେଉଁ ସ୍ବାର୍ଥ ପାଇଁ ପୋଲର ମରାମତି ପାଇଁ ଟେଣ୍ଡର ଦିଆଯାଇଥିଲା । ଏଥିରେ ମହାଦୁର୍ନିତି ହୋଇଛି ବୋଲି କେଜ୍ରିଓ୍ବାଲ କହିଛନ୍ତି ।

ସୂଚନା ଅନୁସାରେ, ଗୁଜରାଟ ମୋରବୀରେ ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୩୪ରେ ପହଞ୍ଚିଛି। ଏହି ଐତିହ୍ୟ ବ୍ରିଜ୍ ମରାମତି ପରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟରେ ରବିବାର ଅଧିକାଂଶ ଛଟ୍ ପୂଜା ପରମ୍ପରା ପାଇଁ ଏକାଠି ହୋଇଥିଲେ। ଏହି ସମୟରେ ପୋଲ ଉପରେ ପ୍ରାୟ ୫୦୦ ଲୋକ ଥିବା ସମୟରେ ଛିଡ଼ି ଯାଇଥିଲା। ଫଳରେ ନଦୀକୁ ଖସି ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଛି ।

ଝୁଲାପୋଲ ଛିଣ୍ଡିବାର ୧୪ ସେକେଣ୍ଡ ପୂର୍ବର ଏକ ସିସିଟିଭି ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ପୋଲ ଉପରେ ପ୍ରବଳ ଭିଡ ଥିଲା। କିଛି ଲୋକ ପୋଲ ଉପରେ ଡେଉଁଥିବା ବେଳେ କିଛି ଯୁବକ ପୋଲକୁ ଜୋର ଜୋରରେ ହଲାଉଥିଲେ। ଆଉ ହଠାତ ଝୁଲା ପୋଲଟି ଛିଣ୍ଡି ପଡିଥିଲା। ଝୁଲାପୋଲ ଛିଣ୍ଡିବା ମାମଲାର ତଦନ୍ତ ପାଇଁ ଗଠନ କରାଯାଇଥିବା କମିଟି ଯାଞ୍ଚ ଆରମ୍ଭ କରିଛି। ପ୍ରାଥମିକ ରିପୋର୍ଟରେ କ୍ଷମତା ଠାରୁ ଅଧିକ ଲୋକ ଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ମୋର୍ବି ଝୁଲାପୋଲର ରକ୍ଷଣବେକ୍ଷଣ ଦାୟିତ୍ୱରେ ଥିବା Oreva Group ବିରୁଦ୍ଧରେ ଆଇପିସିର ଦଫା ୩୦୪, ୩୦୮ ଓ ୧୪୪ ଅନୁସାରେ ମାମଲା ରୁଜୁ କରାଯାଇଛି। ଗୁଜୁରାତ ସରକାର ମୃତକଙ୍କୁ ଚାରି ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ।