CulturalLatest

କେଦାରନାଥଙ୍କୁ ବ୍ୟବସାୟୀ ଦେଲେ ୨୩୦ କେଜି ସୁନା

ଡେରାଡୁନ : (ସଂକେତ୍ ଟିଭି) ଜନୈକ ବ୍ୟବସାୟୀ କେଦାରନାଥଙ୍କ ମନ୍ଦିର ଲାଗି ୨୩୦ କେଜି ସୁନା ଦାନ କରିଛନ୍ତି । ଦାନରେ ମିଳିଥିବା ସୁନାରେ କେଦାରନାଥ ମନ୍ଦିରର ଗର୍ଭ ଗୃହ କାନ୍ଥକୁ ସ୍ୱର୍ଣ୍ଣାଚ୍ଛାଦିତ କରାଯାଇଛି । ଦୀପାବଳିର ଶୁଭ ଅବସରରେ ମନ୍ଦିରର ଗର୍ଭ ଗୃହ କାନ୍ଥକୁ ସ୍ୱର୍ଣ୍ଣାଚ୍ଛାଦିତ କରାଯାଇଛି । ଏଥିରେ କାନ୍ଥରେ ଲାଗିଥିବା ସୁନା ଚାଦରରେ ଭଗବାନ ଶଙ୍କରଙ୍କ ଚିହ୍ନ ଶଙ୍ଖ, ତ୍ରିଶୁଳ ଓ ଡମ୍ବରୁ ଆଦି ତାରକସି କରାଯାଇଥିବା ବେଳେ ସୁନାରେ ଜୟ କେଦାରନାଥ ଧାମ ଓ ହରହର ମହାଦେବ ମଧ୍ୟ ଲେଖାଯାଇଛି ।

ମନ୍ଦିର ଲାଗି ୨୩୦ କିଲୋଗ୍ରାମ ସୁନା ଦାନ କରିଥିବା ବ୍ୟବସାୟୀ ମୁମ୍ବାଇର । ସେ ଯେତେବେଳେ ବି କେଦାରନାଥ ଦର୍ଶନରେ ଯାଆନ୍ତି ସବୁ ବେଳେ ଭଗବାନ କେଦାରନାଥଙ୍କ ଗର୍ଭ ଗୃହର କାନ୍ଥରେ ଲାଗିଥିବ ରୂପା ଚଦର ଦେଖି ସୁନାର ହୋଇ ଯାଆନ୍ତାକି ବୋଲି ଭାବନ୍ତି । କେବଳ ଏଥିଲାଗି ସେ ଏହି ସ୍ୱର୍ଣ୍ଣ ଦାନ କରିଥିବା କହିଛନ୍ତି । ଏଥିରେ ସେ କୋଟି କୋଟି ଟଙ୍କା ବ୍ୟୟରେ ପ୍ରଥମେ ସୁନାର କାନ୍ଥ ତିଆରିଥିଲେ ।

ପରେ ମନ୍ଦିର କମିଟି ଦିପାବଳୀର ଶୁଭ ଅବସରରେ ମନ୍ଦିର କାନ୍ଥରେ ସୁନାର ଚାଦର ଚଢେଇଛନ୍ତି । ମନ୍ଦିରର ଗର୍ଭ ଗୃହ କାନ୍ଥ ରୂପାରୁ ସୁନାକୁ ପରିବର୍ତ୍ତିତ ହୋଇଛି । ଏଥିଲାଗି ମନ୍ଦିର କମିଟି ଓ ସରକାର ବ୍ୟବସାୟୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ମନ୍ଦିରର ଗର୍ଭ ଗୃହକୁ ସ୍ୱର୍ଣ୍ଣାଚ୍ଛାଦିତ କରିବା ଲାଗି ପ୍ରଥମେ ପୂଜକମାନେ ବିରୋଧ କରିଥିଲେ । ସେମାନେ କହିଥିଲେ ଯେ ମନ୍ଦିର ଗର୍ଭ ଗୃହ କାନ୍ଥକୁ ସ୍ୱର୍ଣ୍ଣାଚ୍ଛାଦିତ କରିଦିଆଗଲେ ମନ୍ଦିରର ପୌରାଣିକତ୍ୱକୁ ଆଘାତ ଲାଗିବ । ତେବେ ଏହା ସତ୍ତ୍ୱେ ଯଦି ମନ୍ଦିରର ଗର୍ଭ ଗୃହ କାନ୍ଥକୁ ସୁନା ଚାଦରରେ ଘୋଡାଇ ଦିଆଯାଏ ତେବେ ସେମାନେ ଅନସନ କରିବେ ବୋଲି ମଧ୍ୟ ଧମକ ଦେଇଥିଲେ ।

ତେବେ ମନ୍ଦିର କମିଟି ଓ ଉତ୍ତରାଖଣ୍ଡ ସରକାର ଗର୍ଭଗୃହକୁ ସ୍ୱର୍ଣ୍ଣାଚ୍ଛାଦିତ କରିବାକୁ ଅନୁମତି ଦେଇଥିଲେ । ସରକାରଙ୍କ ଅନୁମତି ପରେ ପୂଜକମାନଙ୍କ ବିରୋଧ ସମାପ୍ତ ହୋଇଥିବା ବେଳେ ମନ୍ଦିରର ଗର୍ଭ ଗୃହ କାନ୍ଥକୁ ସ୍ୱର୍ଣ୍ଣ ଚଦରରେ ଆବୃତ୍ତ କରାଯାଇଛି । ଏଥିରେ ନାନା କଳା କାରୁକାର୍ଯ୍ୟ ମଧ୍ୟ ହୋଇଛି । ଯାହା ଆଗକୁ ଦର୍ଶନାର୍ଥୀଙ୍କୁ ବେଶ୍ ଆମୋଦିତ କରିବ ବୋଲି ଆଶା କରାଯାଉଛି ।