ଦୁଷ୍କର୍ମ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଦୁଇ ଆଙ୍ଗୁଠି ପରୀକ୍ଷା ବେଆଇନ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ବଳାତ୍କାର ମାମଲାରେ ଦୁଇ ଆଙ୍ଗୁଠି ପରୀକ୍ଷାକୁ ସୁପ୍ରିମକୋର୍ଟ ବାରଣ କରିଛନ୍ତି । ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୁଡ଼ ଏବଂ ହେମା କୋହଲିଙ୍କ ଏକ ବେଞ୍ଚ ଚେତାବନୀ ଦେଇ କହିଛି ଯେ ଏଭଳି ପରୀକ୍ଷା କରୁଥିବା ବ୍ୟକ୍ତିଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯିବ । ଏହି ପରୀକ୍ଷା ଆଜି ବି ଚାଲିଥିବାରୁ ଦୁର୍ଭାଗ୍ୟଜନକ ବୋଲି ବେଞ୍ଚ କ୍ଷୋଭର ସହ ପ୍ରକାଶ କରିଛନ୍ତି ।

କୌଣସି ପରିସ୍ଥିତିରେ ଯୌନ ଉତ୍ପୀଡ଼ନ କିମ୍ବା ବଳାତ୍କାରରୁ ବର୍ତ୍ତିଥିବା ମହିଳାଙ୍କ କ୍ଷେତ୍ରରେ ଦୁଇ ଆଙ୍ଗୁଠି ପରୀକ୍ଷା ଯେପରି ନକରାଯାଏ ସେଥିନେଇ ସଜାଗ ରହିବାକୁ କୋର୍ଟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛି । ସୁପ୍ରିମକୋର୍ଟ ତେଲେଙ୍ଗାନା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଶୁଣାଣି କରିଥିଲେ ଯେଉଁଠାରେ କୋର୍ଟ ଅଭିଯୁକ୍ତମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏକ ବଳାତ୍କାର ମାମଲାରେ ବେଞ୍ଚ କହିଛନ୍ତି, “ବଳାତ୍କାର ମାମଲାରେ ଦୁଇଟି ଆଙ୍ଗୁଠି ପରୀକ୍ଷା ନକରିବାକୁ କୋର୍ଟ ବାରମ୍ବାର ନିର୍ଦ୍ଦେଶ ଦେଇଛନ୍ତି । ଏହାର କୌଣସି ବୈଜ୍ଞାନିକ କାରଣ ନାହିଁ । ଏହା କରିବା ଦ୍ୱାରା ମହିଳାମାନଙ୍କୁ ବାରମ୍ବାର ବଳାତ୍କାର ଭଳି ନିର୍ଯାତନା ଦିଆଯାଉଛି ।

ଏହି ବେଞ୍ଚ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ଯେ ଉକ୍ତ ପରୀକ୍ଷା ସହ ଜଡିତ ନିର୍ଦ୍ଦେଶାବଳୀ ସମସ୍ତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ପହଞ୍ଚାଯିବା ଉଚିତ । ଏହାବ୍ୟତୀତ କର୍ମଶାଳା ମାଧ୍ୟମରେ ମହିଳାଙ୍କ ପୁନଃ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଉପଯୁକ୍ତ ତାଲିମ ଦିଆଯିବାକୁ କୋର୍ଟ କହିଛନ୍ତି । ଏଥିସହ ଡାକ୍ତରୀ ସିଲାବସ୍ ରିଭ୍ୟୁ କରିବାକୁ କୁହାଯାଇଛି, ଯାହାଦ୍ୱାରା ଏହାକୁ ହଟାଯାଇପାରିବ ଏବଂ ଭବିଷ୍ୟତର ଡାକ୍ତରମାନେ ଏହି ପରୀକ୍ଷାକୁ ସୁପାରିଶ କରିବେ ନାହିଁ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ପୂର୍ବରୁ ଦୁଇ ଆଙ୍ଗୁଠି ପରୀକ୍ଷାକୁ ବେଆଇନ୍‌ ବୋଲି ସ୍ପଷ୍ଟ କହିଛି । ଡବ୍ଲୁଏଚ୍‌ଓ ତା’ର ରିପୋର୍ଟରେ ସ୍ପଷ୍ଟ କରିଛି ଯେବଳାତ୍କାର ମାମଲାରେ କେବଳ ହାଇମେନର ଯାଞ୍ଚ ସବୁକିଛି ପ୍ରକାଶ କରେ ନାହିଁ । ଦୁଇ ଆଙ୍ଗୁଠି ପରୀକ୍ଷା ମାନବିକ ଅଧିକାରର ଉଲ୍ଲଂଘନ କରିବା ସହିତ ପୀଡ଼ିତାଙ୍କୁ ଅଧିକ ଯନ୍ତ୍ରଣା ଦେଇଥାଏ । ଏହା ଯୌନ ହିଂସା ସହ ସମାନ ଯାହା ପୀଡିତା ପୁନର୍ବାର କଷ୍ଟ ଅନୁଭବ କରିଥାନ୍ତି ।