ମୋରବୀ ବ୍ରିଜ୍ ଭୁଶୁଡ଼ିବାରେ ଦାୟୀ କିଏ?

ଅହମ୍ମଦାବାଦ : (ସଂକେତ୍ ଟିଭି) ରବିବାର ରାତିରେ ଗୁଜରାଟର ମୋରବୀ ପୋଲ ଭାଙ୍ଗିଯିବା ଯୋଗୁଁ ୧୩୫ ଲୋକଙ୍କ ମୃତ୍ୟୁକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଜୋର୍‌ ଧରିଛି । ପୋଲର ନିର୍ମାଣରେ କ’ଣ ତ୍ରୁଟି ରହିଥିଲା ତାହାକୁ ନେଇ ଆରମ୍ଭ ହୋଇଯାଇଛି ଆଲୋଚନା ଓ ପର୍ଯ୍ୟାଲୋଚନା ।

କିଛି ବିଶେଷଜ୍ଞଙ୍କ କହିବାନୁଯାୟୀ ୧୦୦ ଲୋକଙ୍କୁ କ୍ଷମତା ବହନ କରୁଥିବା ଉକ୍ତ ପୋଲରେ ସେତେବେଳେ ୩୦୦ରୁ ୪୦୦ ଲୋକ ଉପସ୍ଥିତ ରହିଥିଲେ । କିଛି ବ୍ୟକ୍ତି ସେଲ୍‌ଫି ନେବାରେ ବ୍ୟସ୍ତ ଥିବା ବେଳେ ଆଉ କିଛି ଝୁଲା ପୋଲ ମନେକରି ଜାଣିଶୁଣି ହଲାଉଥିଲେ । ତୁରନ୍ତ ସେହି ସମୟରେ ପୋଲଟି ଭୁଶୁଡ଼ି ପଡ଼ିଥିଲା

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ କିଛି ଯୁବକ ଜାଣିଶୁଣି ପୋଲକୁ ଜୋର୍‌ରେ ହଲାଉଥିଲେ । ଏହା ଦେଖି ଆମେ ପୋଲର ମଝିରେ ଝୁଲିପଡ଼ିଥିଲୁ । ଆଉ କିଛି ଲୋକ କହିଛନ୍ତି କି ଉକ୍ତ ସ୍ଥାନଟି ଅତ୍ୟନ୍ତ ମନୋରମ ଥିବାରୁ ପର୍ଯ୍ୟଟକଙ୍କ ବୁଲିବା ପାଇଁ ଏକ ଉତ୍କୃଷ୍ଟ ସ୍ଥାନ । ରବିବାର ସନ୍ଧ୍ୟାରେ ଲୋକେ ଏହି ପୋଲର ମଜା ନେବା ପାଇଁ ଏଠାକୁ ବୁଲିବାକୁ ଆସିଥିଲେ । ତେବେ ତୁରନ୍ତ ଏହି ପୋଲଟି ଭାଙ୍ଗିଯାଇଥିଲା । ଅନ୍ୟଜଣେ ସ୍ଥାନୀୟ ଲୋକ କହିଛନ୍ତି ଯେ ପୋଲରେ ୧୦୦ ଲୋକ ଏକସଂଗେ
ଯାଇପାରିବେ । କିନ୍ତୁ ରବିବାର ସନ୍ଧ୍ୟାରେ ପୋଲରେ ପାଖାପାଖି ୫୦୦ ଲୋକଙ୍କ ଭିଡ଼ ଜମିଥିଲା । ଅଧିକ ଲୋକଙ୍କ ସମାଗମ ହେବାରୁ ପୋଲଟି ଭାରସାମ୍ୟ
ହରାଇ ନଦୀରେ ଭୁଶୁଡ଼ି ପଡ଼ିଥିଲା ।

ସୂଚନାନୁଯାୟୀ ମୋରବୀ ପୋଲର ମରାମତି ପାଇଁ ଗତ କିଛିମାସ ହେବ ଏହାକୁ ବନ୍ଦ ରଖାଯାଇଥିଲା । ମରାମତି ପରେ ଅର୍ଥାତ ଗୁଜରାଟ ନବବର୍ଷ ଅକ୍ଟୋବର ୨୬ରେ ଏହାକୁ ପୁଣିଥରେ ଖୋଲାଯାଇଥିଲା । ମୋରବୀ ନଗରପାଳିକାର ମୁଖ୍ୟ ଅଧିକାରୀ ସନ୍ଦୀପ ସିଂହ ଝାଲା କହିଛନ୍ତି ଯେ ଅଧିକାରୀଙ୍କ ବିନା ଅନୁମତିରେ ଉକ୍ତ ପୋଲଟିକୁ ପୁଣିଥରେ ଖୋଲି ଦିଆଯାଇଥିଲା । କଂଗ୍ରେସର ବରିଷ୍ଠ ନେତା ପବନ ଖେଡ଼ା ଯୁକ୍ତି ବାଢ଼ିଛନ୍ତି ଯେ ଏହି ପୋଲର ଦେଖାଶୁଣା କାର୍ଯ୍ୟ ଏଭଳି ଏକ କମ୍ପାନୀକୁ
ହସ୍ତାନ୍ତର କରାଯାଇଥିଲା ଯାହାର କୌଣସି ଅନୁଭବ ନାହିଁ । ସେ କହିଛନ୍ତି ଯେ ଉକ୍ତ କମ୍ପାନୀ କାନ୍ଥ ଘଣ୍ଟା, ଏଲ୍‌ଇଡି ବଲ୍‌ବ ଓ ମାଛ ଧରାଯାଉଥିବା ଜାଲ ତିଆରି
କରିଥାଏ । ତେବେ ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଥିବାରୁ ଭୋଟ୍‌ ହାତେଇବା ପାଇଁ ଏହାର ସ୍ଥାୟିତ୍ୱ ଓ ରକ୍ଷଣାବେକ୍ଷଣକୁ ଗୁରୁତ୍ୱ ନଦେଇ ଖୋଲିଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।