ଇମ୍ରାନ ଖାନଙ୍କ ରାଲି ଉପରକୁ ଗୁଳିମାଡ, ଇମ୍ରାନଙ୍କ ସମେତ ୭ ଆହତ, ଜଣେ ମୃତ

କରାଚି : (ସଂକେତ୍ ଟିଭି) ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲି ଉପରକୁ ଗୁଳିମାଡ ହୋଇଛି । ଏହି ଗୁଳିମାଡରେ ଇମ୍ରାନ ଖାନଙ୍କ ସମେତ ସାତ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲକୁ ନିଆଯାଇଛି । ସେହିପରି ଜଣେ ପ୍ରାଣ ହରାଇଥିବା ମଧ୍ୟ କୁହାଯାଉଛି। ଆତତାୟୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ମୁତାବକ ଏବେ ଇମ୍ରାନ ଖାନ ତାଙ୍କ ସରକାରଙ୍କ ବିରୋଧରେ ଏକ ଆଜାଦୀ ମାର୍ଚ୍ଚ ଚଳାଇଛନ୍ତି । ଏହି ମାର୍ଚ୍ଚ ବା ରାଲି ଆଜି ପଞ୍ଜାବର ଗୁଞ୍ଜରୱାଲା ନିକଟରେ ଯାଉଥିବା ବେଳେ ହଠାତ ତାଙ୍କ ରାଲି ଉପରକୁ ଗୁଳିମାଡ ହୋଇଥିଲା । ଏହି ଗୁଳିମାଡ ଇମ୍ରାନଙ୍କ କଣ୍ଟେନର ନିକଟରେ ହୋଇଥିବାରୁ ଇମ୍ରାନ ଖାନଙ୍କ ସମେତ ସାତ ଜଣ ଆହତ ହୋଇଛନ୍ତି ।

ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ଲଗାତର ଭାବେ ସରକାରଙ୍କ ବିରୋଧରେ ଶୋଭାଯାତ୍ରା କରୁଛନ୍ତି । କିଛିଦିନ ତଳେ ସେନାର ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ବି ବୟାନ ଦେଇଥିଲେ ଇମ୍ରାନ । କୁହାଯାଉଛି କି ଆଜି ଇମ୍ରାନଙ୍କ ରାଲି ଉପରକୁ ପୋଲିସ ଗୁଳି କରିଛି ।

ସେପଟେ ଇମ୍ରାନ ଖାନ ଲୋକଙ୍କୁ ମିଥ୍ୟା ଭାଷଣ ଦେଇ ଭ୍ରମିତ କରୁଥିବାରୁ ତାଙ୍କୁ ହତ୍ୟା ପାଇଁ ଉଦ୍ଯମ କରିଥିବା ଜଣେ ସଂଦିଗ୍ଧ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ।