ଭାରତକୁ ହରାଇଲେ ଜିମ୍ବାୱେର ନାଗରିକଙ୍କୁ ବାହା ହେବେ ପାକିସ୍ତାନ ଅଭିନେତ୍ରୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି) “ଯଦି ଜିମ୍ବାୱେ ଦଳ ଚମତ୍କାର ଭାବେ ପରବର୍ତ୍ତୀ ମ୍ୟାଚରେ ଭାରତକୁ ପରାସ୍ତ କରେ ତେବେ ମୁଁ ଜଣେ ଜିମ୍ବାୱେ ବାଳକକୁ ବିବାହ କରିବି ।” ପାକିସ୍ତାନୀ ଅଭିନେତ୍ରୀ ସେହର ସିନୱାରୀ ଆଜି ଏହା ଟ୍ୱିଟ୍ କରି କହିଛନ୍ତି ।

ଟି-୨୦ ବିଶ୍ୱକପ ୨୦୨୨ରେ ଭାରତ ୬ ପଏଣ୍ଟ ସହ ଟେବୁଲର ଶୀର୍ଷରେ ଅଛି ଓ ସେମିଫାଇନାଲରେ ପ୍ରବେଶ କରିବାକୁ ଜିମ୍ବାୱେ ବିପକ୍ଷ ଶେଷ ମ୍ୟାଚ ଜିତିବା ଆବଶ୍ୟକ । ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନର ଅଭିନେତ୍ରୀ ସେହର ସିନୱାରୀ ଏହା ଟ୍ୱିଟ୍ କରି ସୋସିଆଲ ମିଡିଆରେ ଆଲୋଡନ ସୃଷ୍ଟି କରିଛନ୍ତି ।

ଅଷ୍ଟ୍ରେଲିଆରେ ଆୟୋଜିତ ଏହି ମେଗା ଇଭେଣ୍ଟରେ ପାକିସ୍ତାନକୁ ଦ୍ୱିତୀୟ ମ୍ୟାଚ୍‌ରେ ଏକ ବଡ଼ ଓଲଟଫେରର ସମ୍ମୁଖୀନ ହେବାକୁ ପଡିଥିଲା, ଜିମ୍ବାୱେ ଏହି ମ୍ୟାଚ୍‌ରେ ପାକିସ୍ତାନକୁ ଗୋଟିଏ ରନ୍‌ରେ ପରାସ୍ତ କରିଥିଲା, ଏହା ପରେ ପାକିସ୍ତାନ ଦଳକୁ ମଧ୍ୟ ଅନେକ ସମାଲୋଚନାରେ ସମ୍ମୁଖୀନ ହେବାକୁ ପଡିଥିଲା ।

ଅଭିନେତ୍ରୀ ସେହର ସିନୱାରୀ ଭାରତକୁ ହରାଇବାକୁ ଚାହୁଁଛନ୍ତି, ଏହାକୁ ଆମେ ନୁହେଁ ବରଂ ତାଙ୍କ ଟ୍ୱିଟ୍ କହୁଛି । ବୁଧବାର ଦିନ ଭାରତ ବନାମ ବାଂଲାଦେଶ ମ୍ୟାଚ୍ ବେଳେ ସିନୱାରୀ ଟିମ୍ ଇଣ୍ଡିଆର ପରାଜୟ ପାଇଁ ପ୍ରାର୍ଥନା କରୁଥିଲେ ।