ଚାକିରୀ ଯିବା ଭୟରେ ରାତିରେ ଅଫିସରେ ଶୋଉଛନ୍ତି ଟ୍ବିଟର କର୍ମଚାରୀ

ନ୍ୟୁୟର୍କ : (ସଂକେତ୍ ଟିଭି) ଏଲନ ମସ୍କଙ୍କ ଓଭରଟାଇମ, ଛଟେଇ ଭଳି ଶବ୍ଦ ସବୁ ଟ୍ବିଟର କର୍ମଚାରୀଙ୍କୁ ବିଭ୍ରାନ୍ତ କରୁଛି। ଏଣୁ ଟ୍ୱିଟର କର୍ମଚାରୀମାନେ ମସ୍କ ଦେଇଥିବା ଡେଡଲାଇନ ମଧ୍ୟରେ କାମ ସମ୍ପୂର୍ଣ୍ଣ କରିବାକୁ ଲାଗିପଡିଛନ୍ତି। ଏଣୁ ସେମାନଙ୍କୁ ଓଭର ଟାଇମ ମଧ୍ୟ କରିବାକୁ ପଡୁଛି। ଏଥିରେ ଟ୍ୱିଟରଙ୍କ ଜନୈକ କର୍ମଚାରୀ ତାଙ୍କ ବସ୍‌ଙ୍କ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କ ବସ ରାତିରେ କାର୍ଯ୍ୟାଳୟ ଚଟାଣ ଉପରେ ଶୋଇଥିବାର ଦେଖାଯାଉଛି, ଯାହା ଏବେ ଭାଇରାଲ ହେବାରେ ଲାଗିଛି।

ଟ୍ୱିଟର ସ୍ପେସ୍‌ ପ୍ରଡକ୍ଟ ମ୍ୟାନେଜର ଇଭାନ ଜୋନ୍ସ ଅଫିସ ଚଟାଣରେ ସ୍ଲିପିଙ୍ଗ ବ୍ୟାଗ୍‌ରେ ଶୋଇଥିବା ତାଙ୍କ ବସ୍ ଟ୍ୱିଟରର ପ୍ରଡକ୍ଟ ମ୍ୟାନେଜମେଣ୍ଟ ଡାଇରେକ୍ଟର ଇସଥର କ୍ରୋଫର୍ଡଙ୍କ ଫଟୋ ସେୟାର କରିଛନ୍ତି। ଆପଣଙ୍କୁ ଆପଣଙ୍କ ବସ୍‌ଙ୍କ ଠାରୁ କିଛି ଆଶା ଥିଲେ…ଉଲ୍ଲେଖ କରି ସେ ଏହି ଫଟୋକୁ ସେୟାର କରିଥିଲେ।

ତେବେ ଏହି ଫଟୋଟି କେବେକାର ଓ କେଉଁଠିକାର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ। କାରଣ ଜୋନ୍ସଙ୍କ ବାୟୋରେ ସେ ନ୍ୟୁୟର୍କର ବୋଲି ଉଲ୍ଲେଖ ଥିବା ବେଳେ ଇସଥର ଲସଏଞ୍ଜେଲସରେ ଥିବାର କହିଛନ୍ତି।

ବିଜନେସ୍ ଇନସାଇଡରର ଏକ ରିପୋର୍ଟ ଅନୁସାରେ ଟ୍ୱିଟର କର୍ମଚାରୀମାନେ ଏବେ ଓଭର ଟାଇମ କରୁଛନ୍ତି। କାରଣ ନୂଆ ମାଲିକ ଏଲନ ମସ୍କ ଦେଇଥିବା ଡେଡଲାଇନ ମଧ୍ୟରେ ସେମାନଙ୍କୁ କାମ ସାରିବାକୁ ପଡିବ। ଏଣୁ ସେମାନଙ୍କୁ ସପ୍ତାହକୁ ୭ ଦିନ ଓ ଦୈନିକ ୧୨ ଘଣ୍ଟା ଲେଖାଏଁ କାମ କରିବାକୁ ପଡୁଛି। ରିପୋର୍ଟ ଅନୁସାରେ ଟ୍ୱିଟରର କିଛି ଇଞ୍ଜିନିୟର ୱିକେଣ୍ଡରେ କାମ କରୁଥିବା ବେଳେ କୋଡିଂ ପ୍ରୋଜେକ୍ଟରେ ମଧ୍ୟ କାମ କରୁଛନ୍ତି। ଏଣୁ ସେମାନଙ୍କୁ ୧୨ ଘଣ୍ଟିଆ ସିଫ୍ଟରେ କାମ କରିବାକୁ ପଡୁଛି।