ବିଷ ବଳୟରେ ଦିଲ୍ଲୀ, ସ୍କୁଲ ବନ୍ଦ ରଖିବାକୁ ଘୋଷଣା କଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଦଜନକ ସ୍ଥିତିରେ ପହଞ୍ଚିଛି । ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ AQI- ୪୫୦ ପାର୍ କରିଛି। ଯାହାକୁ ନେଇ ଅଭିଭାବକ ଛୋଟଛୋଟ ପିଲାଙ୍କର ସ୍କୁଲ ବନ୍ଦ କରିବା ପାଇଁ ଦାବି କରୁଥିଲେ । ଏହାରି ମଧ୍ୟରେ ପ୍ରାଇମେରୀ ସ୍କୁଲ ବନ୍ଦ କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ ୫ ନଭେମ୍ୱର ଅର୍ଥାତ କାଲିଠାରୁ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ।

ଦିଲ୍ଲୀ ସରକାର ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ନେଉଥିବା ଏକ ସାମ୍ୱାଦିକ ସମ୍ମିଳନୀ କରି ଜଣାଇଛନ୍ତି । ଏଥିପାଇଁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖାଯାଇଥିବା ବେଳେ ଏହାର ଉପର ଶ୍ରେଣୀର ଛାତ୍ରଛାତ୍ରୀ ବାହାର ଖେଳକୁଦ ଉପରେ ରୋକ ଲଗାଇଛନ୍ତି ।

ତେବେ ଏହା ପୂର୍ବରୁ ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ (ଏନସିପିସିଆର) ଦିଲ୍ଲୀର ବଢୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପିଲାଙ୍କ ସୁରକ୍ଷା ଲାଗି ସ୍କୁଲ ବନ୍ଦ କରିବାକୁ ଦାବି କରିଥିଲେ। ଏନସିପିସିଆର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ବାୟୁ ଗୁଣବତ୍ତାରେ ସୁଧାର ଆସିବା ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ଦାବି କରିଥିଲେ। ଏହାର ଜବାବରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ବଢୁଥିବା ପ୍ରଦୂଷଣରେ ସିଏକ୍ୟୁଏମ ଏ ସବୁର ମନିଟରିଂ କରୁଥିବା କହିଥିଲେ। ଏଥିରେ ୩ ଦିନର ଆଡଭାନ୍ସ ମନିଟରିଂ କରାଯାଉଥିବା ସେ କହିଥିଲେ।

ତେବେ ପଞ୍ଚାବ ଓ ହରିୟାଣାର ଚାଷୀ ନଡ଼ା ଜଳାଇବା ଯୋଗୁ ଦିଲ୍ଲୀରେ ପ୍ରଦୂଷଣ ବଢୁଛି। ଏନେଇ ମୁଖ୍ୟମନ୍ତ୍ରୀ କେଜେରିଓ୍ବାଲ କହିଛନ୍ତି ଯେ ବାୟୁ ପ୍ରଦୂଷଣ ପାଇଁ କେବଳ ଚାଷୀ ନୁହନ୍ତି, ଏଥିପାଇଁ ସରକାର ମଧ୍ୟ ସମାନ ପ୍ରତିଶତ ଦାୟୀ। କ୍ଷେତରେ ଅମଳ ପରବର୍ତ୍ତୀ ସମୟରେ ଚାଷୀ ନଡ଼ା ଜଳାଇବା ଯୋଗୁ ବାୟୁ ପ୍ରଦୂଷଣ ବଢୁଛି। ଏହି ବିଷାକ୍ତ ବାୟୁ କେବଳ ପଞ୍ଜାବ, ହରିୟାଣା ନୁହେଁ ପୂରା ଉତ୍ତର ଭାରତରେ ବ୍ୟାପୁଛି। ଫଳରେ ଲୋକଙ୍କ ନିଶ୍ବାସ ନେବାରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ କେନ୍ଦ୍ର ସରକାର, ରାଜ୍ୟମାନଙ୍କୁ ଦୋଷାରୋପ ନକରି ବାୟୁ ପ୍ରଦୂଷଣ ହ୍ରାସ କରିବା ଦିଗରେ ଠୋସ୍ ପଦକ୍ଷେପ ନେବା ଆବଶ୍ୟକ ବୋଲି କେଜେରିଓ୍ବାଲ କହିଛନ୍ତି।

ଚଳିତ ବର୍ଷ ପଞ୍ଜାବରେ ଫସଲ ଅମଳ ବଢିଥିବାରୁ ନଡ଼ା ଜାଳିବା ମଧ୍ୟ ବଢୁଛି। ଗତ ବର୍ଷ ଅପେକ୍ଷା ଚାଷୀଙ୍କ ନଡ଼ା ଜାଳିବା ୨୨ ପ୍ରତିଶତ ବଢିଛି। ପଞ୍ଜାବରେ ଭଗବତ୍ ସିଂ ମନ ସରକାରଙ୍କୁ ମାତ୍ର ୬ମାସ ହୋଇଛି, ଏତେ କମ୍ ସମୟ ମଧ୍ୟରେ ବାୟୁ ପ୍ରଦୂଷଣ ରୋକିବାକୁ ସମ୍ଭବ ନୁହେଁ। ତେଣୁ ପଲ୍ୟୁସନ କଣ୍ଟ୍ରୋଲ କରିବାକୁ ହେଲେ ଆପ୍ ସରକାରଙ୍କୁ ଅଧିକ ସମୟ ଦରକାର ବୋଲି ଅରବିନ୍ଦ କେଜେରିଓ୍ବାଲ କହିଛନ୍ତି।

ଭାରତ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଏଜେନ୍ସି, ‘ସଫର’ ଅନୁଯାୟୀ, ଚାଷୀ ନଡ଼ା ଜାଳିବା ଯୋଗୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ୩୪ ପ୍ରତିଶତ ବାୟୁ ପ୍ରଦୂଷଣ ବଢିଛି। ଗତବର୍ଷ ଅପେକ୍ଷା ଏହା ୭ ପ୍ରତିଶତ ବୃଦ୍ଧି ପାଇଛି। ପ୍ରଦୂଷଣ ବଢୁଥିବାରୁ ଆସନ୍ତା କାଲିଠାରୁ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର।