ବାଂଲାଦେଶ ବ୍ୟାଟ୍ସମ୍ୟାନ ଲିଟନ ଦାସଙ୍କୁ ବ୍ୟାଟ୍ ଉପହାର ଦେଲେ ବିରାଟ କୋହଲି

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତ ବିରୋଧରେ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିବା ବାଂଲା ବ୍ୟାଟର ଲିଟନ ଦାସଙ୍କୁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଏକ ବ୍ୟାଟ ଉପହାର ଦେଇଛନ୍ତି। ଏନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡ ଚେୟାର ମେନ୍ ଜଲାଲ ୟୁନୁସ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଗତ ବୁଧବାର ଦିନ ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆର ଆଡିଲେଡ୍ କ୍ରିକେଟ୍ ଗ୍ରାଉଣ୍ଡରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ବାଂଲାଦେଶ। ଭାରତ ବିରୋଧରେ ବାଂଲାଦେଶ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ ବି ଦଳ ପରାସ୍ତ ହୋଇଥିଲା।

ହେଲେ ଭାରତ ବିରୋଧରେ ବାଂଲା ବ୍ୟାଟର ଲିଟନ ଦାସ ଯେଉଁଭଳି ଭାବରେ ବ୍ୟାଟିଂ କରିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆଉ ଲିଟନଙ୍କର ଏଭଳି ପ୍ରଦର୍ଶନ ପାଇଁ ଖୁସୀ ବ୍ୟକ୍ତ କରି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ବୁଧବାର ଲିଟନଙ୍କୁ ଏକ ବ୍ୟାଟ ଉପହାର ଦେଇଛନ୍ତି।

ସେ କହିଛନ୍ତି “ ଆମେ ଯେତେବେଳେ ଡାଇନିଂ ହଲ୍‌ରେ ବସିଥିଲୁ ବିରାଟ କୋହଲି ଆସି ଲିଟନଙ୍କୁ ଏକ ବ୍ୟାଟ ଉପହାର ଦେଇଥିଲେ। ଏହା ଲିଟନଙ୍କ ପାଇଁ ପ୍ରେରଣାଦାୟୀ ସମୟ ଥିଲା।” ବାଂଲାଦେଶ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶ ପାଇଛି।