କଂଗ୍ରେସ କ୍ଷମତାକୁ ଆସିଲେ ବନ୍ଦ ହେବ ଅଗ୍ନିପଥ ଯୋଜନା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଯଦି କଂଗ୍ରେସ କେନ୍ଦ୍ରରେ କ୍ଷମତାକୁ ଆସେ, ତା’ହେଲେ ସେନାରେ ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର କରିଥିବା ‘ଅଗ୍ନିପଥ’ ଯୋଜନାକୁ ବନ୍ଦ କରି ଦେବ । ଏଭଳି ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

ହିମାଚଳ ପ୍ରଦେଶର କାଙ୍ଗଡ଼ାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ପ୍ରିୟଙ୍କା ଏହି କଥା କହିଥିଲେ । ସେ କହିଥିଲେ, ହିମାଚଳ ପ୍ରଦେଶରୁ ବହୁ ଯୁବକ ସେନାରେ ଭର୍ତ୍ତି ହୁଅନ୍ତି । କିନ୍ତୁ ଅଗ୍ନିପଥ ଯୋଜନା ସେମାନଙ୍କ ଯୋଜନାକୁ ନଷ୍ଟ କରି ଦେଇଛି । ଯେଉଁମାନେ ଏହି ଯୋଜନାରେ ସେନାରେ ଭର୍ତ୍ତି ହେବେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ୪/୫ ବର୍ଷ ପରେ ବେକାର ହୋଇଯିବେ । ତେଣୁ କଂଗ୍ରେସ କେନ୍ଦ୍ରରେ ସରକାର ଗଠନ କଲେ ଏହି ଯୋଜନାକୁ ବନ୍ଦ କରି ଦେବ ।

ପ୍ରିୟଙ୍କା କହିଥିଲେ, ଆମେ ଯାହା ପ୍ରତିଶ୍ରୁତି ଦେଉ, ତାହା ପୂରଣ କରୁଛି । ତିଶଗଡ଼ରେ ଆମେ ଚାଷୀଙ୍କୁ ଋଣ ଛାଡ଼ କରିବାକୁ ପ୍ରତିଶ୍ରୁତି ଦେଇଥିଲୁ । ନିର୍ବାଚନ ଜିତି ସରକାର ଗଠନ କରିବା ପରେ ଆମେ ସେହି ପ୍ରତିଶ୍ରୁତି ପୂରଣ କଲୁ । ହିମାଚଳ ପ୍ରଦେଶରେ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାକୁ କଂଗ୍ରେସ ଗ୍ୟାରେଣ୍ଟି ଦେଉଛି ।

ଏଠାରେ ସରକାର ଗଠନ କଲେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ଏକ ଲକ୍ଷ ଯୁବକଯୁବତିଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯିବ । ଏହିପରି ୫ ବର୍ଷରେ ୫ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯିବ ।

ଏହିକ୍ରମରେ ହିମାଚଳ ପ୍ରଦେଶର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ୬୩ ହଜାର ସରକାରୀ ପଦପଦବୀରେ ମଧ୍ୟ ନିଯୁକ୍ତି ଦିଆଯିବ । ସୂଚନାଯୋଗ୍ୟ, ଅନେକ ବିରୋଧୀ ଦଳ ‘ଅଗ୍ନିପଥ’ ବିରୋଧରେ ସେମାନଙ୍କ ମତ ଦେଇଥିଲେ ହେଁ, ସରକାର ଏହାକୁ ପ୍ରତ୍ୟାହାର କରି ନେବାକୁ ମନା କରି ଦେଇଥିଲେ ।