ବିଜେପି ବିରୋଧରେ ବିଧାୟକ କିଣିବା ଅଭିଯୋଗ, ଜାରି ହେଲା ମୁଲଚାଲ ଭିଡିଓ

ହାଇଦ୍ରାବାଦ : (ସଂକେତ୍ ଟିଭି) ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ବିଜେପି ବିରୋଧରେ ବିଧାୟକ ଖରିଦଦାରୀ କରୁଥିବାର ଅଭିଯୋଗ ଆଣିଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀ କରି ଅନେକ ଭିଡିଓ ଜାରି କରିଛନ୍ତି । ବିଜେପି କିଭଳି ତାଙ୍କ ଦଳର ବିଧାୟକମାନଙ୍କୁ କିଣିବା ପାଇଁ ଯୋଜନା କରୁଛି ତାହା ଖୁଲାସା କରିଛନ୍ତି । ଟିଆର୍‌ଏସ୍‌ର ୪ ବିଧାୟକଙ୍କୁ କିଣିବା ପାଇଁ ଉଦ୍ୟମ କରାଯାଇଥିଲା । ଗୁପ୍ତ କ୍ୟାମେରାରେ ୧ଘଣ୍ଟାରୁ ଅଧିକ ଏହି ଫୁଟେଜକୁ ରେକର୍ଡ କରାଯାଇଛି । ୫ ମିନିଟ୍‌ ଧରି
ସାମ୍ବାଦିକ ସମ୍ମିଳନୀରେ କେସିଆର୍‌ ଏହାକୁ ପ୍ରଦର୍ଶିତ କରିଥିଲେ । ଯାହାକୁ ନେଇ ଏବେ ରାଜନୈତିକ ଝଡ ସୃଷ୍ଟି ହୋଇଛି ।

କେସିଆର୍‌ଙ୍କ ଭିଡିଓରେ ଉଲ୍ଲେଖ କରାଯାଇଛି ଯେ, ବିଧାୟକ କିଣିବା ପାଇଁ ଯେଉଁ ଅପରେସନ ଚାଲିଥିଲା ଏଥିରେ ସମ୍ପୃକ୍ତ ବ୍ୟକ୍ତି ଜଣକ ୨୦ଥର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ୩ଥର ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ନେଇଛନ୍ତି । କର୍ଣ୍ଣାଟକରେ କିଭଳି ସରକାର ପରିବର୍ତ୍ତନ ହେଲା ତାହାର ଉଦାହରଣ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପରେ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ତେବେ ବିଜେପି ଆଉ ଅନ୍ୟ ନେତାଙ୍କର ସମ୍ପୃକ୍ତି ନେଇ ତଥ୍ୟ ଆସିନାହିଁ ।

କେସିଆର୍‌ ଦେଶର ବିଚାର ବିଭାଗ ବ୍ୟବସ୍ଥାକୁ ଅନୁରୋଧ କରି ଦେଶ ବଞ୍ଚାଇବା ଲାଗି ନିବେଦନ କରିଛନ୍ତି । ସିଏ ଏହି ଭିଡିଓକୁ ସୁପ୍ରିମ୍‌କୋର୍ଟ, ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବିରୋଧୀ ନେତାଙ୍କୁ ପଠାଇଛନ୍ତି । ତେଲେଙ୍ଗାନା, ଆନ୍ଧ୍ର, ଦିଲ୍ଲୀ ଓ ରାଜସ୍ଥାନରେ ବିଜେପି ସରକାର ଭାଙ୍ଗିବାକୁ ଚାହୁଁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ତେବେ ବିଜେପି ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି । କେନ୍ଦ୍ରମନ୍ତ୍ରୀ ଜି.କିଷାନ ରେଡ୍ଡୀ କହିଛନ୍ତି ଯେ ଫାର୍ମ ହାଉସ୍‌ରେ ଯାହା ଘଟିଛି ତାହା ଦୁଃଖଦାୟକ । କିଛି ଦିଲ୍ଲୀର ଦଲାଲ ତେଲେଙ୍ଗାନାର ଆତ୍ମସମ୍ମାନ ଉପରେ ପ୍ରଶ୍ନ ଉଠାଇଛନ୍ତି । ୪ ବିଧାୟକଙ୍କୁ ୧୦୦କୋଟି ଟଙ୍କା ଦିଆଯାଉଥିବା କୁହାଯାଉଛି । ଯେଉଁ ୪ଜଣ ଗିରଫ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ବ୍ୟବସାୟୀ ରହିଛନ୍ତି ।