ସ୍ଥାନ ନ ପାଇବାରୁ ଭାଙ୍ଗିପଡ଼ିଲେ ପୃଥ୍ୱୀ ଓ ବିଷ୍ଣୋଇ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଟି-୨୦ ବିଶ୍ୱକପ୍‌ ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ଗସ୍ତ କରିବ । ନ୍ୟୁଜିଲାଣ୍ଡ ଗସ୍ତରେ ଦଳ ଟି-୨୦ ଏବଂ ଦିନିକିଆ ଶୃଙ୍ଖଳା ଏବଂ ବାଂଲାଦେଶ ଗସ୍ତରେ ଦିନିକିଆ ଏବଂ ଟେଷ୍ଟ ଶୃଙ୍ଖଳା ଖେଳିବ । ଦୁଇ ଦେଶ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ନ୍ୟୁଜିଲାଣ୍ଡ ଗସ୍ତ ପାଇଁ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବାଂଲାଦେଶ ଗସ୍ତ ପାଇଁ କିଛି ଯୁବ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ।

ମାତ୍ର କିଛି ଏମିତି ଖେଳାଳି ଅଛନ୍ତି, ଯେଉଁମାନଙ୍କୁ ଦଳରେ ସ୍ଥାନ ମିଳିନି । ଭାରତୀୟ ଦଳର ତାରକା ବ୍ୟାଟସମ୍ୟାନ ପୃଥ୍ୱୀ ଶ, ନୀତିଶ ରାଣା, ରବି ବିଷ୍ଣୋଇ ଏବଂ ଉମେଶ ଯାଦବଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଫଳରେ ଏହି ସବୁ ଖେଳାଳି ନିରାଶ ହେବା ସହ ନିଜ ନିଜର ଇନଷ୍ଟାଗ୍ରାମରେ ସନ୍ଦେଶ ଲେଖିଛନ୍ତି । ଆଉ କହିଛନ୍ତି, ଦଳକୁ ଆଗାମୀ ସମୟରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିବେ ।

ସୂଚନାଯୋଗ୍ୟ, ପୃଥ୍ବୀ ଶ ନିକଟରେ ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଛନ୍ତି । ତଥାପି ତାଙ୍କୁ ଚୟନକର୍ତ୍ତା ଅଣଦେଖା କରିଛନ୍ତି । ପ୍ରଥମେ ଦକ୍ଷିଣ ଆଫ୍ରିକା, ପୁଣି ଆୟରଲାଣ୍ଡ ଏବଂ ଟି-୨୦ ବିଶ୍‌ କପ୍ ପରେ ଏବେ ଏହି ଦୁଇଟି ଗସ୍ତ ପାଇଁ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିନି । ପୃଥ୍ୱୀ ଶ ନିଜ ପୋଷ୍ଟରେ ସାଇବାବାଙ୍କ ଫଟୋ ସେୟାର କରି ଲେଖିଛନ୍ତି ଆଶା କରୁଛୁ ଆପଣ ସବୁ ଦେଖୁଛନ୍ତି ନା ଭଗବାନ ।

ସେପଟେ ଆଇପିଏଲରେ ଚମକୁଥିବା ନୀତିଶ ରାଣା ଏବଂ ରବି ବିଷ୍ଣୋଇଙ୍କୁ ଛୋଟ ଦଳ ବିପକ୍ଷରେ ସୁଯୋଗ ମିଳିଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ବିପକ୍ଷ ଶୃଙ୍ଖଳା ପାଇଁ ଦଳରେ ସ୍ଥାନ ମିଳିନାହିଁ । ସୋମବାର ସନ୍ଧ୍ୟାରେ ଭାରତୀୟ ଦଳର ଘୋଷଣା ପରେ ପରେ ସମସ୍ତ ଖେଳାଳିଙ୍କ ଏହି ଧରଣର ପୋଷ୍ଟ ସାମ୍ନାକୁ ଆସିଛି, ଯାହା ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ, ନଭେମ୍ବର ୧୩ରେ ଟି-୨୦ ବିଶ୍ୱକପ୍ ସମାପ୍ତ ହେଉଛି । ଏହା ପରେ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିବ ।