ହିମାଚଳ ପ୍ରଦେଶ ପାଇଁ ନିର୍ବାଚନ ଇସ୍ତାହାର ଘୋଷଣା କଲା ବିଜେପି

ସିମଲା : (ସଂକେତ୍ ଟିଭି) ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ବିଜେପି ନିର୍ବାଚନ ଇସ୍ତାହାର ଘୋଷଣା କରିଛି। ରାଜ୍ୟରେ ଦଳ କ୍ଷମତାକୁ ଆସିଲେ ୟୁନିଫର୍ମ ସିଭିଲ୍ କୋଡ୍ ନିୟମ ଲାଗୁ କରାଯିବ ବୋଲି ବିଜେପି କହିଛି।

ଉତ୍ତର ପ୍ରଦେଶ ଭଳି ହିମାଚଳ ପ୍ରଦେଶରେ ୱାକଅଫ୍ ବୋର୍ଡର ସମ୍ପତ୍ତିର ସର୍ଭେ କରାଯିବ ବୋଲି ବିଜେପି କହିଛି। ୟୁପିରେ ୱାକଅଫ୍ ବୋର୍ଡର ସମ୍ପତ୍ତି ଯାଞ୍ଚ ପାଇଁ ପ୍ରଥମେ ପଦକ୍ଷେପ ନିଆଯାଇଥିଲା। ଯାହାକୁ ନେଇ ଅନେକ ସମାଲୋଚନା ବି ହୋଇଥିଲା।

ଏହାବାଦ୍ ରାଜ୍ୟରେ ୫ ବର୍ଷ ଭିତରେ ୮ ଲକ୍ଷ ନିଯୁକ୍ତି ଦିଆଯିବ ବୋଲି ବିଜେପି କହିଛି। ରାଜ୍ୟରେ ପ୍ରମୁଖ ଉତ୍ପାଦନ ସେଓର ପ୍ୟାକେଜିଂ ଉପରେ ଜିଏସ୍‌ଟି ୧୮ରୁ ୧୨ ପ୍ରତିଶତକୁ ହ୍ରାସ କରାଯିବ ଓ ସରକାରୀ ଚାକିରିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ରଖାଯିବ ବୋଲି ବିଜେପି କହିଛି।

ବିଜେପି ସଭାପତି ଜେପି ନଡ୍ଡାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଆଜି ପ୍ରମୁଖ ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି। ହିମାଚଳବାସୀ ଜେପି ନଡ୍ଡା ରାଜ୍ୟ ପାଇଁ ଇସ୍ତାହାର ଘୋଷଣା କଲା ବେଳେ ଛାତ୍ରୀମାନଙ୍କୁ ଶ୍ରେଣୀ-୬ରୁ ୧୨ ଭିତରେ ସାଇକେଲ୍ ଓ କଲେଜ୍ ଛାତ୍ରୀମାନଙ୍କୁ ସ୍କୁଟର ଦେବାକୁ ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟରେ ୫ ନୂଆ ମେଡିକାଲ କଲେଜ୍ ଖୋଲାଯିବ ବୋଲି ବିଜେପି ଘୋଷଣା କରିଛି।