ଦୁଷ୍କର୍ମ ମାମଲାରେ ଶ୍ରୀଲଙ୍କା କ୍ରିକେଟର ଦନୁସ୍କା ଗୁଣତିଳକ ଅଷ୍ଟ୍ରେଲିଆରେ ଗିରଫ

ସିଡନୀ : (ସଂକେତ୍ ଟିଭି) ଦୁଷ୍କର୍ମ ମାମଲାରେ ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକା ଅଷ୍ଟ୍ରେଲିଆର ସିଡନୀରୁ ରବିବାର ସକାଳୁ ଗିରଫ ହୋଇଛନ୍ତି। ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି। ଜଣେ ୨୯ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଏହି କ୍ରିକେଟରଙ୍କ ବିରୋଧରେ ଅଭିଯୋଗ ହୋଇଛି। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଟିମ୍‌ରେ ଗୁଣତିଳକ ସାମିଲ ଥିଲେ । ତେବେ ଶ୍ରୀଲଙ୍କା ଟିମ୍‌ ବିଶ୍ୱକପରୁ ବାଦ୍‌ ପଡିବା ପରେ ସ୍ୱଦେଶୀକୁ ଫେରିଛି ।

ସୂଚନା ଅନୁସାରେ, ଯୁବତୀ ଜଣକ ଗୁଣତିଲକାଙ୍କ ସହିତ ଏକ ଡେଟିଂ ଆପ୍‌ ଜରିଆରେ ସାକ୍ଷାତ କରିଥିଲେ। ନଭେମ୍ବର ୨ ତାରିଖରେ ଯୁବତୀ ଦୁଷ୍କର୍ମ ଶିକାର ହୋଇଥିଲେ । ଆଉ ସେହି ଯୁବତୀ ଯୌନ ଉତ୍ପୀଡନର ଶିକାର ହୋଇଥିବା ପୋଲିସ ଆଗରେ ଅଭିଯୋଗ କରିଥିଲେ। ତେଣୁ ପୋଲିସ ରବିବାର ସକାଳୁ ସିଡନୀ ସେଣ୍ଟ୍ରାଲ ହୋଟେଲରୁ ଗୁଣତିଲକାଙ୍କୁ ଗିରଫ କରିଛି। ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ।

ଧନୁଷ୍କା ଶ୍ରୀଲଙ୍କା ଟି-୨୦ ଟିମରେ ସାମିଲ ହୋଇଥିଲେ। ହେଲେ ଆହତ କାରଣରୁ କୌଣସି ମ୍ୟାଚ୍ ଖେଳି ପାରିନଥିଲେ। ତେବେ ଦଳ ତାଙ୍କୁ ଦେଶକୁ ନ ପଠାଇ ଟିମ୍ ସହ ଯୋଡି ରଖିଥିଲା। ଧନୁଷ୍କାଙ୍କ ବଦଳରେ ଆସେନ ବାନ୍ଦାରାଙ୍କୁ ଦଳରେ ସାମିଲ କରିଥିଲା ଶ୍ରୀଲଙ୍କା। ଧନୁଷ୍କା ଏଯାବତ୍ ମୋଟ୍ ୮ଟି ଟେଷ୍ଟ, ୪୭ ଦିନିକିଆ ଓ ୪୬ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଟି-୨୦ରେ ଧନୁଷ୍କାଙ୍କ ସର୍ବଶ୍ରେଷ୍ଠ ସ୍କୋର ୫୭ ରହିଥିବା ବେଳେ ୩ଟି ଅର୍ଦ୍ଧଶତକ ସେ ନିଜ ନାଁରେ କରିଛନ୍ତି।