ଗ୍ରୁପ ୨ର ଶୀର୍ଷରେ ପହଞ୍ଚିଲା ଭାରତ, ସେମିରେ ଇଂଲଣ୍ଡ ସହ ମୁକାବିଲା

ମେଲବର୍ଣ୍ଣ : (ସଂକେତ୍ ଟିଭି) ଟି-୨୦ ବିଶ୍ଵ କପ୍ ୨୦୨୨ର ସୁପର ୧୨ ମୁକାବିଲା ଶେଷ ହୋଇଛି । ଆଜି ଭାରତ ଜିମ୍ବାଓ୍ବେକୁ ପରାଜିତ କରି ସେମି ଫାଇନାଲ୍‌ରେ ପ୍ରବେଶ କରିବା ସହିତ ଭାରତ ଗ୍ରୁପ -୨ର ଶୀର୍ଷ ସ୍ଥାନ ହାସଲ କରିଛି। ଏହା ସହିତ ଗୁରୁବାର ଆଡିଲେଡରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବକପ୍ ର ଦ୍ବିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ।

ଆଜି ଅନୁଷ୍ଠିତ ମ୍ୟାଚରେ ଭାରତ ଜିମ୍ବାଓ୍ଵେକୁ ୭୧ ରନରେ ହରାଇଛି। ସୁର୍ଯ୍ୟକୁମାର ଯାଦବଙ୍କ ୬୧ ରନର ବିସ୍ଫୋରକ ଇନିଂସ ଏବଂ କେଏଲ ରାହୁଲଙ୍କ ୫୧ ରନ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା। ଜବାବରେ ଜିମ୍ବାଓ୍ଵେ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି ୧୭.୨ ଓଭରରେ ୧୧୫ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ରବି ଚନ୍ଦ୍ରନ ଅଶ୍ଵିନ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ସେପଟେ ଆସନ୍ତା ବୁଧବାର ଦିନ ସିଡନିରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସେମିଫାଇନାଲ ନ୍ୟୁଜିଲାଣ୍ଡ ଏବଂ ପାକିସ୍ଥାନ ମଧ୍ଯରେ ଖେଳ ଅନୁଷ୍ଠିତ ହେବ ।