BusinessFeaturedLatest

ବିମୂଦ୍ରୀକରଣର ୬ ବର୍ଷ ପରେ ଲୋକଙ୍କ ନିକଟରେ ରହିଛି ବେଶୀ ନଗଦ ଟଙ୍କା : ଆରବିଆଇ

ନୂଆଦିଲ୍ଲୀ : (ସଂକେତ୍ ଟିଭି) କେନ୍ଦ୍ର ସରକାର ୮ ନଭେମ୍ୱର ୨୦୧୬ରେ ବିମୂଦ୍ରୀକରଣ ଘୋଷଣା କରିଥିଲେ । ହେଲେ ଏହି ଘୋଷଣାର ୬ ବର୍ଷ ପରେ ଦେଶରେ ଯେତେ ନଗଦ ଟଙ୍କା ମାର୍କେଟରେ ରହିଛି, ତାହା କେବେ ନଥିଲା । ଏଇଥିରୁ ଜଣାପଡ଼ୁଛି ଯେ ବର୍ତ୍ତମାନ ମଧ୍ୟ ନଗଦ ଟଙ୍କା ମାଧ୍ୟମରେ ନେଣଦେଣକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ତଥ୍ୟ ଅନୁସାରେ, ୨୧ ଅକ୍ଟୋବର ୨୦୨୨ ଯାଏ ଦେଶରେ ମୋଟ ୩୦.୮୮ ଲକ୍ଷ କୋଟି ଟଙ୍କା ଉପଲବ୍ଧ ରହିଛି । ଯେତେବେଳେ କି ୨୦୧୬ ନଭେମ୍ୱର ୪ ରେ ଏହି ସଂଖ୍ୟା ୧୭.୯୭ ଲକ୍ଷ କୋଟି ଟଙ୍କା ରହିଥିଲା । ବିମୂଦ୍ରୀକରଣର ଗୋଟିଏ ସପ୍ତାହ ପରେ ୨୫ ନଭେମ୍ୱର ୨୦୧୬ରେ ଲୋକଙ୍କ ନିକଟରେ ୯.୧୧ କୋଟି ଟଙ୍କା ରହିଥିଲା । ହେଲେ ବର୍ତ୍ତମାନ ଏଥିରେ ୨୩୯ ପ୍ରତିଶତ ବୃଦ୍ଧି ପାଇଛି ।

ଆରବିଆଇର ତଥ୍ୟ ଅନୁସାରେ ୨୧ ଅକ୍ଟୋବର ୨୦୨୦ ଦିପାବଳୀର ପୂର୍ବ ସନ୍ଧ୍ୟା ଯାଏ ଲୋକଙ୍କ ନିକଟରେ ନଗଦ ଭାବେ ୨୫,୫୮୫ କୋଟି ଟଙ୍କା ବୃଦ୍ଧି ପାଇଛି । ବର୍ଷ ତୁଳନାରେ ଏହା ୯.୩ ପ୍ରତିଶତ ଅର୍ଥାତ୍ ୨.୬୩ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଥିଲା । ସେହିପରି ନଭେମ୍ୱର ୨୦୧୬ରେ ନୋଟବନ୍ଦୀ ପରେ ୪ ନଭେମ୍ବର ୨୦୧୬ରେ ଲୋକଙ୍କ ନିକଟରେ ନଗଦ ୧୭.୯୭ ଲକ୍ଷ କୋଟି ଟଙ୍କା ରହିଥିଲା । ହେଲେ ଜାନୁଆରୀ ୨୦୧୭ରେ ଏହା ହ୍ରାସ ପାଇ ୭.୮ ଲକ୍ଷ କୋଟି ଟଙ୍କାରେ ରହିଥିଲା ।

ଯଦିଓ ଡିଜିଟାଲ ନେଣଦେଣ କିଛି ବର୍ଷ ହେବ ଧୀରେ ଧୀରେ ବୃଦ୍ଧି ପାଇଛି । ହେଲେ ଏବେ ବି ଅନେକ ଲୋକ ନଗଦ ନେଣଦେଣକୁ ଅଧିକ ପସନ୍ଦ କରୁଛନ୍ତି । ପାର୍ବଣ ଋତୁରେ ଦୈନିକ ନଗଦ ନେଣଦେଣ ଅଧିକ ରହୁଛି । କାରଣ ବର୍ତ୍ତମାନ ଅନେକ ସଂଖ୍ୟାର ବ୍ୟବସାୟି ନଗଦ ଟଙ୍କାରେ କାରବାର କରିବାକୁ ସହଜ ମଣୁଛନ୍ତି ।ପ୍ରାୟ ୧୫ କୋଟି ଲୋକଙ୍କ ନିକଟରେ ବର୍ତ୍ତମାନ ମଧ୍ୟ ବ୍ୟାଙ୍କ ଖାତା ନଥିବାରୁ ନଗଦ ନେଣଦେଣକୁ ଏକ ପ୍ରମୁଖ ମାଧ୍ୟମ ଭାବୁଛନ୍ତି ।