ସିରିଜ୍ ସଡକ ଦୁର୍ଘଟଣା: ପଛକୁ ପଛ ଗାଡ଼ି ପିଟିହୋଇ ୩ ମୃତ

ସିମୁଳିଆ : (ଯାଦବାନନ୍ଦ ଦାସ) ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ି ଛକ ନିକଟରେ ହୋଇଥିବା ସିରିଜ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କାରରେ ଥିବା ୮ ଜଣ ଗୁରୁତର ହୋଇଛନ୍ତି। ଏକ ତେଲ ଟ୍ୟାଙ୍କର ପ୍ରଥମେ ଏକ ସ୍କର୍ପିଓକୁ ପିଟିଥିବା ବେଳେ ପରେ ସ୍କର୍ପିଓଟି କାର୍‌ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ସ୍କର୍ପିଓରେ ଥିବା ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କାରରେ ଥିବା ୮ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ତେଲ ଟ୍ୟାଙ୍କରଟି ସାମନା ପଟୁ ପ୍ରଥମେ ଏକ ସ୍କର୍ପିଓକୁ ପିଟିଥିଲା । ତେଲ ଟ୍ୟାଙ୍କରର ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ତାହା ସ୍କର୍ପିଓରେ ପିଟି ହୋଇଥିବା ପ୍ରତ୍ୟକ୍ଷର୍ଶୀଙ୍କ ସୂତ୍ରରୁ ପ୍ରକାଶ। ଟ୍ୟାଙ୍କର ମାଡ଼ରେ ଭାଙ୍ଗି ଚୁରମାର ହୋଇଯାଇଥିବା ସ୍କର୍ପିଓଟି ପାଖରେ ଯାଉଥିବା ଏକ କାର୍‌ରେ ପିଟି ହୋଇ ଯାଇଥିଲା। ଉଭୟ ସ୍କର୍ପିଓ ଓ କାର୍‌ ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଆସୁଥିବାର ଜଣାଯାଇଛି। ସ୍କର୍ପିଓରେ ଥିବା ୩ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣାସ୍ଥଳରେ ଓ ଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଛି। କାରରେ ଥିବା ୮ ଜଣ ଗୁରୁତର ହୋଇପଡ଼ିଛନ୍ତି। ସ୍ଥାନୀୟ ଲୋକେ ଓ ପୋଲିସ ତୁରନ୍ତ ପହଞ୍ଚି ଗୁରତରଙ୍କୁ ସୋର ମେଡିକାଲରେ ଭର୍ତ୍ତି କରିଛନ୍ତି।