ପଦ୍ମପୁର ଉପନିର୍ବାଚନ ପାଇଁ ନେତାଙ୍କୁ ଦାୟିତ୍ବ ବାଣ୍ଟିଲା ବିଜେଡି

ଭୁବନେଶ୍ୱର : (ସଂକେତ୍ ଟିଭି) ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ନେତାଙ୍କୁ ଦାୟିତ୍ବ ବାଣ୍ଟିଛି। ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ନିର୍ବାଚନ ମଣ୍ଡଳୀ ପରିଚାଳନା ଦାୟିତ୍ବରେ ରହିବେ । ବିଜେଡି ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରଚାର ଦାୟିତ୍ବ ଦିଆଯାଇଛି ।

ସୂଚନା ଅନୁସାରେ, ଧାମନଗର ଉପନିର୍ବାଚନରେ ପରାଜୟ ପରେ ବିଜେଡି ଅଧିକ ସତର୍କ ହୋଇଥିବା ଜଣାଯାଇଛି। ଦଳ ଏଥର ପଦ୍ମପୁର ଉପନିର୍ବାଚନରେ କିଭଳି ବିଜୟ ଲାଭ କରିବ, ସେଥିଲାଗି ରଣନୀତି ପ୍ରସ୍ତୁତ କରିଛି। ତିନି ବ୍ଲକର ଦାୟିତ୍ବ ତିନି ଜଣ ମନ୍ତ୍ରୀଙ୍କ ଦିଆଯାଇଛି । ପଦ୍ମପୁର ବ୍ଳକ ଦାୟିତ୍ୱରେ ରହିବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ପାଇକମାଳ ଦାୟିତ୍ୱରେ ରହିବେ ମନ୍ତ୍ରୀ ନବ ଦାସ। ଝାରବନ୍ଧ ଦାୟିତ୍ୱରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ। ଜୋନ ଦାୟିତ୍ୱରେ ରହିବେ ପଶ୍ଚିମ ଓଡ଼ିଶା ନେତା। ସେହିପରି ମନ୍ତ୍ରୀ ଟୁକୁନି ସାହୁ,ଦେବେଶ ଆଚାର୍ଯ୍ୟ,ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ,ସରୋଜ ମେହେର ,ପୁଷ୍ପେନ୍ଦ୍ର ସିଂ ଦେଓ ପ୍ରମୁଖ ଜୋନ ଦାୟିତ୍ଵ ସମ୍ଭାଳିବେ। ଅନ୍ୟ ନେତାଙ୍କୁ ବି ଖୁବ୍ ଶୀଘ୍ର ଦାୟିତ୍ବ ବଣ୍ଟାଯିବ।

ସୂଚନାଯୋଗ୍ୟ, ଧାମନଗର ଫଳାଫଳକୁ ନେଇ ଉତ୍‌ଫୁଲ୍ଲିତ ବିରୋଧୀ ଦଳ ବିଜେପି ପଦ୍ମପୁରରେ ନିଜର ବି ନିଜର ବିଜୟଧାରା ବଳବତ୍ତର ରଖିବାକୁ ଚେଷ୍ଟା କରିବ। ସେହିଭଳି, ଶାସକ ବିଜେଡି ନିଜ ଆସନକୁ କେବେ‌ହେଲେ ହାତଛଡ଼ା କରିବାକୁ ଚାହିଁବ ନାହିଁ। ସେଥିପାଇଁ ସମସ୍ତ ପ୍ରକାରର ଉଦ୍ୟମ ଅବ୍ୟାହତ ରଖିବ। ଏହିଦୃଷ୍ଟିରୁ ପଦ୍ମପୁର ଉପନିର୍ବାଚନ ଦୁଇଦଳ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ରାଜନୈତିକ ମହଲରେ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କ ମୃତ୍ୟୁପରେ ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ଉପନିର୍ବାଚନ ହେବ।